ଦିବ୍ୟାଙ୍ଗ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରୁଛି ସେବାଶ୍ରୀ ଚାରିଟେବୁଲ ଟ୍ରଷ୍ଟ

ଦିବ୍ୟାଙ୍ଗ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ । ଗତ ୩ ବର୍ଷ ଧରି ଏହି ପ୍ରୟାସ କରୁଛି ସେବାଶ୍ରୀ ଚାରିଟେବୁଲ ଟ୍ରଷ୍ଟ । ଚଳିତ ବର୍ଷ କଟକ ଜିଲ୍ଲାର ୬୭ ଜଣ ଦିବ୍ୟାଙ୍ଗ ପିଲାଙ୍କୁ ପୁରୀ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇଛି ଏହି ଟ୍ରଷ୍ଟ । ସାଧାରଣତଃ ଏହି ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଏତେ ଖରା ଓ ଗହଳି ମଧ୍ୟରେ ପୁରୀ ଆଣି ଶ୍ରୀମନ୍ଦିର ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ସେମାନଙ୍କ ବାପା , ମାଙ୍କ ପାଇଁ ମଧ୍ୟ କଷ୍ଟକର ବ୍ୟାପାର । କିନ୍ତୁ ସେବାଶ୍ରୀ ଚାରିଟେବୁଲ ଟ୍ରଷ୍ଟ ସ୍ବତନ୍ତ୍ର ବସ ଯୋଗେ ଏହି ୬୭ ଜଣ ଦିବ୍ୟାଙ୍ଗ ପିଲାଙ୍କୁ ପୁରୀ ଆଣି ଶ୍ରୀମନ୍ଦିରର ପ୍ରଶାସନ ସହଯୋଗରେ ମହାପ୍ରଭୁଙ୍କ ଦର୍ଶନ କରାଇ ତାଙ୍କ ଆଶୀର୍ବାଦ ନେଇଛନ୍ତି ।
ପିଲାଙ୍କ ପାଇଁ ଅନୁଷ୍ଠାନର ପ୍ରାୟ ୪୦ ଜଣ ସ୍ବେଚ୍ଛାସେବୀ ଦାୟିତ୍ବ ନେଇଥିଲେ । କେବଳ ଏତିକି ନୁହେଁ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ହୁଇଲ ଚେୟାର ଓ ଡାକ୍ତର ମଧ୍ୟ ମୁତୟନ ଥିଲେ । ଶ୍ରୀମନ୍ଦିର ସିଂହଦ୍ଵାର ଥାନା ନିକଟରେ ପହଁଚିବା ପରେ ସେମାନଙ୍କୁ ଧାଡ଼ି କରି ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ସିଂହଦ୍ଵାର ଦେଇ ଭିତରକୁ ନିଆଯାଇଥିଲା । ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ପରେ ଦିବ୍ୟାଙ୍ଗ ପିଲା ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିଲେ । ପରେ ସେମାନଙ୍କୁ ପୁରୀର ସ୍ବର୍ଣ୍ଣାଭ ବେଳାଭୂମି ନିଆଯାଇଥିଲା । ସେଠାରେ ଦିବ୍ୟାଙ୍ଗ ପିଲାମାନେ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କ ଖୁସି ପାଇଁ ମ୍ୟୁଜିକ ସହ ନାଚର ବ୍ୟବସ୍ଥା ହୋଇଥିଲା । ଅନୁଷ୍ଠାନର ଏଭଳି ପ୍ରୟାସ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଜଗତର ନାଥ ଜଗନ୍ନାଥ । ଯିଏ କି ଭାବର ଡୋରିରେ ଭକତଙ୍କ ସହ ବନ୍ଧା । କାଇଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ତାଙ୍କର ସେହି ମଦନ ମୋହନ ଚକା ନୟନକୁ ଦେଖିବା ପାଇଁ । ଆଉ ଯିଏ ଥରେ ସେହି ଚକାନୟନକୁ ଦେଖେ ନିଜର ଆଖି ଫେରେଇ ପାରେ ନାହିଁ । ଭାବର ଠାକୁରୁଙ୍କୁ ଦେଖିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ କିଛି ଭକ୍ତ ଏମିତି ଥାଆନ୍ତି ଯେଉଁମାନେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଅସମର୍ଥ ହୁଅନ୍ତି । ତେଣୁ ଏଭଳି କିଛି ଦିବ୍ୟାଙ୍ଗ ପିଲାଙ୍କୁ ଜଗନ୍ନାଥ ଦର୍ଶନ କରାଇ ପ୍ରଶଂସା ସାଉଣ୍ଟୁଛନ୍ତି ସେବାଶ୍ରୀ ଚାରିଟେବୁଲ ଟ୍ରଷ୍ଟ ।
Also Read: ଦିବ୍ୟାଙ୍ଗ ପିଲାଙ୍କ ସହିତ ସଲମାନ୍ କଲେ ଏପରି ଡ୍ୟାନ୍ସ, ଲୋକେ କହିଲେ ‘ୟୁ କରକେ’