ଟାର୍ଗେଟରେ ଆପାର୍ଟମେଣ୍ଟ, ସିରିଜ ଲୁଟର ଶିକାର ହୋଇଛନ୍ତି ଏକାଧିକ ବ୍ୟକ୍ତି
ଅପରାଧୀଙ୍କ ଟାର୍ଗେଟରେ ଏବେ ଆପାର୍ଟମେଣ୍ଟ । ଘରେ କେହି ନଥିବାବେଳେ ଲୁଟ କରି ନିମଷକେ ମଧ୍ୟ ମାରୁଛନ୍ତି ଚମ୍ପଟ । ପୁରୀ ଜିଲ୍ଲା ପିପିଲି ଥାନା ଉତ୍ତରା ଅଞ୍ଚଳରେ ଦେଖା ଦେଇଛି ଏକ ବଡ଼ ଧରଣର ଲୁଟ । ସିରିଜ ଲୁଟର ଶିକାର ହୋଇଛନ୍ତି ଏକାଧିକ ବ୍ୟକ୍ତି ।
ଘରେ ସମସ୍ତେ ରହୁଥିବାବେଳେ କିଛି ବି ଅଘଟଣ ଘଟୁ ନାହିଁ । କିନ୍ତୁ ଘର ଛାଡ଼ି ଟିକେ ସମୟ ପାଇଁ ବାହାରକୁ ଗଲେ ଅପରାଧିମାନେ ଟାର୍ଗେଟ କରୁଛନ୍ତି ଆପାର୍ଟମେଣ୍ଟ । ଲୁଟେରାମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ବୁଲୁଛନ୍ତି ପରେ ଯେଉଁ ଲୋକଙ୍କ ଘରେ ଚୋରି କରିବେ ସେମାନଙ୍କ ସୋସିଆଲ ମିଡିଆକୁ ତନ ତନ କରି ଯାଞ୍ଚ କରୁଛନ୍ତି । ତାପରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପରେ ଆପାର୍ଟମେଣ୍ଟ ଗୁଡ଼ିକୁ ଲୁଟ କରୁଛନ୍ତି । ଏବେ ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରୁଥିଲେ ସାବଧାନ ରୁହନ୍ତୁ । ଆପଣଙ୍କ ଫଟୋ ଓ ପୋଷ୍ଟରୁ ହିଁ ଲୁଟେରାମାନେ ଲୁଟିବା ପାଇଁ ପ୍ଲାନ୍ କରୁଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ତଥ୍ୟ ଆମ ସାମ୍ନାକୁ ଆସିଛି ।
ଘରର ପ୍ରବେଶ ପଥର ତାଲାକୁ ଭାଙ୍ଗି ଭିତରକୁ ପ୍ରବେଶ କରି ସମସ୍ତ ସୁନା ରୁପା ଅଳଙ୍କାର ଠାରୁ ଆରମ୍ଭ କରି ଟଙ୍କା ପଇସା ସବୁକିଛି ଲୁଟି ନେଉଛନ୍ତି ଲୁଟେରା । ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥ କଡ଼ରେ ରହୁଥିବା ବିଶାଲ ଆପାର୍ଟେମେଣ୍ଟରେ ବିଳମ୍ବିତ ରାତିରେ କେହି ନ ଥିବାର ସୁଯୋଗ ନେଇ ଲୁଟେରାମାନେ ସିରିଜ ଲୁଟ କରିଛନ୍ତି ।
କେବଳ ଜନାର୍ଦ୍ଦନ ନୁହଁନ୍ତି ତାଙ୍କ ଘର ପାଖରେ ଥିବା ଅନ୍ୟ ତିନି ଜଣଙ୍କ ଘରୁ ମଧ୍ୟ ସମାନ ଭାବରେ ଲୁଟ କରିଛନ୍ତି ଲୁଟେରା । ଘରର କବାଟର ତାଲାକୁ କଟର ସାହାଯ୍ୟରେ କାଟି ଘର ଭିତରେ ପଶି ସମସ୍ତ ଜିନିଷକୁ ଲୁଟ କରିନେଇଛନ୍ତି । ଏ ସମ୍ପର୍କରେ ପିପିଲି ଥାନାରେ ଅଭିଯୋଗ ହୋଇଛି । ଆପାର୍ଟମେଣ୍ଟରେ ସିସିଟିଭି ସମ୍ପୂର୍ଣ୍ଣ ଭାବରେ କାମ କରୁ ନଥିବାବେଳେ ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆପାର୍ଟମେଣ୍ଟର ସୁରକ୍ଷା ଭାର ରହିଛି । ତେବେ ଅପରାଧିମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠି କହିଛନ୍ତି ।
ପିପିଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ପରେ ଏବେ ଅପରାଧୀମାନେ ଘରେ କେହି ନଥିବାବେଳେ ସେମାନଙ୍କ ଘରକୁ ଟାର୍ଗେଟ କରି ଲୁଟ କରୁଛନ୍ତି । ଏହି ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ସାଧରଣରେ ଦାବି ହେଉଛି । ଅନ୍ୟପଟେ ସୋସିଆଲ ମିଡିଆ ଲୁଟେରାଙ୍କ ପାଇଁ ଏକ ମାଧ୍ୟମ ସାଜିଛି । ତେଣୁ ଆପଣ କିଛି ବି ପୋଷ୍ଟ କରିବା ପୂର୍ବରୁ ନିଶ୍ଚିତ ଭାବେ ଭାବନ୍ତୁ କଣ ପୋଷ୍ଟ କରିବେ ଆଉ କଣ କରିବେନି ।