କଟକ(କେନ୍ଯୁଜ୍) : ବତ୍ଯା ତିତଲି ପରେ ଚାରିଆଡେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷା ହେବା ଫଳରେ କଟକ ସହର ଜଳବନ୍ଦୀ ହୋଇଛି । ଗତକାଲିଠାରୁ ଲଗାଣ ବର୍ଷାରେ ସହରର ହାଲ୍ ବେହାଲ୍ ହୋଇପଡ଼ିଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗଳି କନ୍ଦିରେ ଲହଡି ମାଡୁଛି ବର୍ଷା ପାଣି । ନାଳ ନର୍ଦ୍ଦମାର ଆବର୍ଜନା ପାଣି କଟକ ସହର ରାସ୍ତାରେ ପ୍ରବାହିତ ହେଉଛି । ଗତକାଲି ରାତିରୁ ଲାଗିଛି ରହିଛି ବର୍ଷା । ଫଳରେ କଟକ ସହର ଏକପ୍ରକାର ଶୁନ୍ଶାନ୍ ହୋଇପଡିଛି। ବାଦାମବାଡି ବସ୍ଷ୍ଟାଣ୍ଡର ହାଲ୍ ବେହାଲ୍ ହୋଇପଡିଛି। ୧୨୦ଟି ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି। କଟକରେ ୧୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
କଟକ ବିଷଣୁପୁରରେ ପାହାଡରୁ ଅତଡା ଖସି ଘର କାନ୍ଥ ଭାଙ୍ଗିଲା
ଅନ୍ଯପଟେ କଟକ ତିଗିରିଆ ଥାନା ବିଷଣୁପୁର ଗାଁରେ ପାହାଡରୁ ଅତଡା ଖସି ଘର କାନ୍ଥ ଭାଙ୍ଗି ଯାଇଛି। କାନ୍ଥ ଭୁଶୁଡି ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତିନି ଜଣ ଗତକାଲି ରାତିରେ ଘରେ ଶୋଇଥିବାବେଳେ ଏହି ଅଘଟଣ ଘଟିଥିଲା। ଅଗ୍ନିଶମ ବିଭାଗ ଓ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ତିଗିରିଆ ଓ ପରେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଲଗାଣ ବର୍ଷାରେ ପୁରୀର ହାଲ୍ ବେହାଲ୍
ସେହିପରି ଲଗାଣ ବର୍ଷାରେ ପୁରୀର ହାଲ୍ ବେହାଲ୍। ଜଳବନ୍ଦୀ ପୁରା ସହର । ବଡଦାଣ୍ଡ ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି। ସେହିପରି ଡାକ୍ତରଖାନା ଛକରେ ୩ ଫୁଟରୁ ଅଧିକ ଉଚ୍ଚ ପାଣି ଜମି ରହିଛି। ବିଭିନ୍ନ ତଳି ଅଞ୍ଚଳରେ ବର୍ଷା ପାଣି ଜମିରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ସାଙ୍କୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ବୋହୁଛି। କାକଟପୁର ଅସ୍ତରଙ୍ଗରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି।