ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ମିଳିବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ୩ ଲକ୍ଷ ପିଲା

ଭୁବନେଶ୍ୱର : ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାକୁ ଚଳିତ ବର୍ଷଠୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ରୋକିବାକୁ ମୋହନ ସରକାରଙ୍କ ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟର ମୋହର । ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ବର୍ଷ ଏହି ଯୋଜନାରେ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସରକାରଙ୍କ ଏପରି ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ରୋକାଯାଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଏହା କେବେଠୁ ମିଳିବ ସେନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ ।

ଶିକ୍ଷାକ୍ଷେତ୍ର ପାଇଁ ଚଳିତ ବର୍ଷ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସରକାର ଆରମ୍ଭ କରିଛନ୍ତି । ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।