ଯାଜପୁର ବାସୁଦେବପୁର ଠାରେ ଅନୁଷ୍ଠିତ ହୋଇଛି ଶନିଶ୍ଚର ମହାଯଜ୍ଞ

ଯାଜପୁର (କେନ୍ୟୁଜ): ଆମ ପୁରାଣରେ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଏବଂ କର୍ମଫଳ ଦାତା ବୋଲି କୁହାଯାଇଥାଏ। ସ୍ୱଭାବରେ କଠୋର ହେବା କାରଣରୁ ଶନି ଖରାପ କାମ ଏବଂ ଏହା ଅନୁଯାୟୀ ଦଣ୍ଡ ଦେଇଥାଆନ୍ତି। ଯେବେ ଶନି ଅଶୁଭ ଫଳ ଦେଇଥାଆନ୍ତି ତ ବ୍ୟକ୍ତିର ଖରାପ ସମୟ ଚାଲିଥାଏ। ଏମିତିରେ ଶନିବାର ଦିନ ଶନିଙ୍କ ପ୍ରଭାବକୁ ସକାରାତ୍ମକ କରିବା ପାଇଁ ଉପଯୁକ୍ତ ବୋଲି କୁହାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ମୁତାବିକ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସେ ଅନ୍ୟାୟ ଓ ଅନ୍ୟାୟ କରୁଥିବା ଲୋକମାନଙ୍କୁ କଦାପି ସହି ପାରନ୍ତି ନାହିଁ। ମନାଯାଏ ଯେ ଶନିଦେବ ଯଦି କାହା ଉପରେ ଥରେ ପ୍ରସନ୍ନ ହୋଇଯାନ୍ତି। ତେବେ ସେହି ଲୋକର ଭାଗ୍ୟରେ ବଡ଼ ପରିବର୍ତ୍ତନ ହୁଏ। ସେ ଭାଗ୍ୟଶାଳୀ ହୋଇଯାଏ।

ଆଜି ହେଉଛି ଗ୍ରହରାଜ ଶନିଦେବଙ୍କ ପବିତ୍ର ଶନି ଓଷା । ଏନେଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ବାସୁଦେବପୁର ଠାରେ ଶନିଶ୍ଚରଙ୍କ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାତଃ ସମୟରୁ ଏଠାରେ ଥିବା ଶନି ମହାଦେବଙ୍କ ମନ୍ଦିରରେ ଶନିଶ୍ଚରଙ୍କ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ କରାଯାଇଛି । ଶନିମହାଦେବଙ୍କ ନିକଟରେ ଜଳାଭିଷେକ ସହ ଦର୍ଶନ ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁ ଶନି ଓଷା ପାଳନ ହୋଇପାରି ନଥିଲା । ତେବେ ଚଳିତ ବର୍ଷ କରୋନା କଟକଣା କୋହଳ ହେବା ପରେ ଏଠାରେ ଶନିଶ୍ଚର ମହାଯଜ୍ଞ ବଡ଼ ଆଡମ୍ବରରେ ଅନୁଷ୍ଠିତ ହୋଇଛି। । ଭକ୍ତମାନେ ସ୍ଥାନୀୟ କେଲୁଅ ନଦୀରୁ ଜଳ ଆଣି ଶନିଦେବଙ୍କ ନିକଟରେ ଜଳାଭିଷେକ କରୁଛନ୍ତି । ଆଜିର ଦିନରେ ଶନିଦେବଙ୍କ ନିକଟରେ ଜଳାଭିଷେକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏପଟେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.