ପୁରୀ: ଶ୍ରୀମନ୍ଦିର ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତାମତକୁ ଦିଆଯିବ ଗୁରୁତ୍ୱ, ପରିଚାଳନା କମିଟି ସଦସ୍ୟ ନେଲେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ହିନ୍ଦୁ ଧର୍ମର ମୁଖ୍ୟ ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭାର ମୁଖ୍ୟ ଭାବେ ଶଙ୍କରାଚାର୍ଯ୍ୟଙ୍କ ମତାମତ ତଥା ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶ ମଧ୍ୟରୁ ଏହା ଥିବା ଅନ୍ୟତମ। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପହଞ୍ଚିଥିଲା ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବଙ୍କ ସହ ପରିଚାଳନା କମିଟିର ସଦସ୍ୟମାନେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ଯାନିଯାତ୍ରା, ନୀତିକାନ୍ତି ଓ ଧାର୍ମିକ ପ୍ରସଙ୍ଗରେ ଏଣିକି ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡ଼ଯିବ। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବର୍ଷକୁ ଅନ୍ତତଃ ୪ଥର ଗୋବର୍ଦ୍ଧନ ପୀଠକୁ ଯାଇ ପରାମର୍ଶ ଗ୍ରହଣ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଓ ଯାନିଯାତ୍ରା, ଧାର୍ମିକ ଓ ଆଧ୍ୟାତ୍ମିକ ପୁରାଣ ସଂହିତା ଅନୁଯାୟୀ କରାଯିବ। ପୁରାତନ ପରମ୍ପରାକୁ ଗୁରୁତ୍ୱ ଦିଆଯିବା ସହ ଶ୍ରୀମନ୍ଦିର ସଂଚଳନରେ ମୁଖ୍ୟ ଭୂମିକା ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗ୍ରହଣ କରିବେ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୋବର୍ଦ୍ଧନ ମଠ ଇଣ୍ଟରଭେନର ହୋଇଥିବା ବେଳେ ନଭେମ୍ବର ୪ତାରିଖରେ ସୁପ୍ରିମ କୋର୍ଟଙ୍କ ୨୨ଟି ନିର୍ଦ୍ଦେଶ ମଧ୍ୟରେ ଶଙ୍କରାଚାର୍ଯ୍ୟଙ୍କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୮ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବାରୁ ପ୍ରଶାସନ ଏବେ ତତ୍ପର ହୋଇଛି।
ପୂର୍ବରୁ ଶ୍ରୀମନ୍ଦିର ସଂଚଳନରେ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ଭୂମିକା ରହୁଥିଲା। ନିଷ୍ପତ୍ତି ଅନୁଯାୟୀ ଶଙ୍କରାଚାର୍ଯ୍ୟଙ୍କୁ ଏବେ ଅଧିକ ଗୁରୁତ୍ୱ ଦିଆଯିବ।