ଭୁବନେଶ୍ୱର: ରାଜଧାନୀର ଫୁଟଫାତରୁ ଝିଅ ପାଇଁ ଦେଖୁଛନ୍ତି ବଡ଼ ସ୍ବପ୍ନ । ତାଙ୍କ ପାଇଁ ସିନା ଦିନର ଆଲୋକ କି ରାତିର ଅନ୍ଧକାରର କିଛି ମାନେ ନାହିଁ କିନ୍ତୁ ଝିଅ ଆଖିରେ ଦେଖୁଛନ୍ତି ଦୁନିଆ । ଜୀବନ ମାନେ ତ ସଂଘର୍ଷ । ଆଉ ଏହି ସଂଘର୍ଷର ଅନ୍ୟନାମ ଶାନ୍ତି । ବୟସ ପ୍ରାୟ ୨୭ କି ୨୮ । ଜନ୍ମରୁ ଶାନ୍ତି ଦୃଷ୍ଟିହୀନ । ନା ତାଙ୍କ ମନରେ ଅଛି ଦୁଃଖ କି ଭଗବାନଙ୍କ ପାଖରେ ଅଭିଯୋଗ । ଶାନ୍ତି କୁହନ୍ତି କିଛି ଭଲ ପାଇଁ ବୋଧହୁଏ ତାଙ୍କୁ ଦୃଷ୍ଟିଶକ୍ତି ଦେଇନାହାନ୍ତି ଭଗବାନ । କର୍ମ ହିଁ ଭଗବାନ । ଏହି ବିଶ୍ୱାସ ନେଇ ନିଜ ପେଟ ପୋଷୁଛନ୍ତି ଶାନ୍ତି ।
ଶାନ୍ତିଙ୍କ ଘର ଚଣ୍ଡିଖୋଲ । କିନ୍ତୁ ଏବେ ତାଙ୍କର ଠିକଣା ହେଉଛି ରାଜଧାନୀରେ ଥିବା ମାର୍କେଟ ବିଲ୍ଡିଂ । ପରିବାର କହିଲେ ତାଙ୍କର ୬ ବର୍ଷର ଅଲିଅଳି ଝିଅ ଲିସା । ଲିସା ବି ଭାରି ସ୍ନେହୀ । ବୟସ ମାତ୍ର ୬ । ସବୁବେଳେ ମା’ ପଛେ ପଛେ ଛାଇ ପରି ରହିଥାଏ l ପୃଥିବୀ ସିନା ସୁନ୍ଦର, କିନ୍ତୁ ଆଜିର ବ୍ୟସ୍ତ ବହୁଳ ସମୟରେ ସୁନ୍ଦର ହୃଦୟ ଥିବା ଲୋକ ଖୁବ କମ ଅଛନ୍ତି l ଶାନ୍ତି କୁହନ୍ତି ଭଲ ହୋଇଛି ଭଗବାନ ମୋତେ ଦୃଷ୍ଟି ଶକ୍ତି ଦେଇ ନାହାନ୍ତି l
ଶାନ୍ତି କାହା ଉପରେ ନିର୍ଭର କରୁ ନାହାନ୍ତି । ପେଟ ଚାଖଣ୍ଡେ ପାଇଁ ସେ କାହା ଆଗରେ ହାତ ପତାନ୍ତି ନାହିଁ । ଭଗବାନ ସିନା ଦୃଷ୍ଟି ଶକ୍ତି ଦେଇ ନାହାନ୍ତି କିନ୍ତୁ ମନରେ ରହିଛି ଯଥେଷ୍ଟ ଆତ୍ମ ବିଶ୍ୱାସ । ସେଥିପାଇଁ ପାଇଁ ଦୀର୍ଘ ୧୦ ବର୍ଷ ହେବ ଅସ୍ଥାୟୀ ଖେଳ ଦୋକାନ କରି, ଲିସା ମୁହଁରେ ହସ ଆଉ ପେଟକୁ ଦୁଇ ଓଳି ଦାନା ଯୋଗାଡ଼ କରି ପାରୁଛନ୍ତି ଶାନ୍ତି । ଆତ୍ମସମ୍ମାନର ସହ ବଞ୍ଚିବା ହିଁ ତାଙ୍କର ଲକ୍ଷ୍ୟ l କର୍ମ କରିବି ଆହୁରି ପରିଶ୍ରମ କରିବି ମୋ ଲିସାକୁ ବଡ଼ ମଣିଷ କରିବି । ସେ ଲୋକଙ୍କ ସେବା କରିବ । ତାଙ୍କର ବି ଭାରି ଇଛା ଥିଲା ଦୁଇ ଅକ୍ଷର ପାଠ ପଢିବା ପାଇଁ କିନ୍ତୁ ପରିବାରର ଅଭାବ ତାଙ୍କ ଆଶାକୁ ଆଶାରେ ହିଁ ରଖିଦେଲା । କିନ୍ତୁ ଏବେ ନିଜ ଝିଅ ଲିସାର ପାଠପଢା ପାଇଁ ସଂଘର୍ଷ କରୁଛନ୍ତି l ସେ ଭବିଷ୍ୟତରେ ଯେମିତି ଏ ଦୁର୍ଦ୍ଦିନ ନଦେଖିବ ସେଥିପାଇଁ ସଂଘର୍ଷ କରୁଛନ୍ତି ଶାନ୍ତି ।
ନା ଯେମିତି ଶାନ୍ତି, ସଙ୍ଘର୍ଷ ମୟ ଜୀବନଯାତ୍ରାରେ ବି ଶାନ୍ତିର ସହ ଗୋଟିଏ ପରେ ଗୋଟିଏ ପରୀକ୍ଷା ଦେଇଚାଲିଛନ୍ତି । ହସ ହସ ମୁହଁରେ କେତେ ଯେ କଷ୍ଟ ଯନ୍ତ୍ରଣା ଲୁଚି ରହିଛି ସେ କଥା କେବଳ ଶାନ୍ତି ଜାଣିଛନ୍ତି । ଆଖପାଖ ଲୋକ ନିଜ ପିଲାଙ୍କ ଖୁସି ପାଇଁ ଶାନ୍ତିଙ୍କ ଠାରୁ ଖେଳଣା କିଣି ନିଅନ୍ତି । ଗ୍ରାହକ ଖୁସ ଆଉ ଶାନ୍ତି ବି ଖୁସ ।
ଶାନ୍ତିଙ୍କ ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ସ୍ୱାଭିମାନରେ ବଞ୍ଚିବା, ଠିକ କର୍ମ କରିବା, ଭଗବାନଙ୍କୁ ଦୋଷ ନ ଦେବା ହିଁ ଶାନ୍ତିଙ୍କ ବିଶ୍ୱାସ l ଶାନ୍ତି ସିନା ପେଟ ପାଇଁ ରୋଜଗାର କରୁଛନ୍ତି କିନ୍ତୁ କେହି ସହୃଦୟ ବ୍ୟକ୍ତି ଯଦି ତାଙ୍କ ଝିଅର ପାଠ ପଢ଼ା ପାଇଁ କିଛି ସାହାଯ୍ୟ ସହଯୋଗ କରନ୍ତେ ତେବେ ତାଙ୍କ ଦୁଃଖ ଯାଆନ୍ତା ।