ଯୁଗେ ଯୁଗେ ପ୍ରେମ ଅମର, ପ୍ରେମ କାହାଣୀର ଗାଥା ବହନ କରୁଛି ଶଶିଶେଣା ମନ୍ଦିର

ପ୍ରେମ ଏକ ମହାନ ଶବ୍ଦ । ପ୍ରେମ ଶାଶ୍ବତ ପ୍ରେମ ଚିରନ୍ତନ । ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ଯୁଗେ ଯୁଗେ ପ୍ରେମ ହୋଇଛି ଅମର । ଆଉ ନିଜ ପ୍ରେମକୁ ଚିରନ୍ତନ କରିବାକୁ କିଏ ଉପହାର ଦେଇଛି ତ କିଏ ତୋଳିଛି ମନ୍ଦିର । ଆଜି ପ୍ରେମ ଦିବସରେ ସୁବର୍ଣ୍ଣପୁରରେ ଥିବା ପ୍ରେମ ମନ୍ଦିର ବିଷୟରେ ଆସନ୍ତୁ ଜାଣିବା । ଯାହା ନିଚ୍ଛକ ପ୍ରେମ କାହାଣୀର ଗାଥା ବହନ କରୁଛି ।
ମନ୍ଦିର ମାଳିନୀ ସହର ଭାବରେ ବେଶ ପରିଚିତ ସୁବର୍ଣ୍ଣପୁର । ସହରରେ ଥିବା ୧୦୮ ଗୋଟି ମନ୍ଦିର ମଧ୍ୟରୁ କିଏ ସୁନ୍ଦରତା ପାଇଁ ତ ଆଉ କିଏ ଐତିହାସିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ଵ ବହନ କରେ । ହେଲେ ସୁବର୍ଣ୍ଣପୁର କଚେରୀ ଛକ ମୁଖ୍ୟ ରାସ୍ତା କଡରେ ଥିବା ଶଶିଶେଣା ମନ୍ଦିର ବା ନିମୁହିଁ ମନ୍ଦିରର ରହିଛି ଭିନ୍ନ ସ୍ବତନ୍ତ୍ରତା । ମନ୍ଦିରଟି ଯେତିକି ପୁରୁଣା ତାର ଇତିହାସ ମଧ୍ୟ ସେତିକି ପ୍ରାଚୀନ । ସୋନପୁର ରାଜକୁମାରୀ ଶଶିଶେଣା, ଜ୍ଞାନଦେଇ ମାଲୁଣୀ ଏବଂ ଅହିମାଣିକ୍ୟକୁ ନେଇ ଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀର ସ୍ମୁତିକୁ ବହନ କରୁଛି ଏହି ମନ୍ଦିର । ଏକ ଉସର୍ଗୀକୃତ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଥିବା ଏହି ପ୍ରେମ ମନ୍ଦିର ସାରା ଦେଶରେ ବିରଳ ବୋଲି ଲୋକେ କୁହନ୍ତି ।
ରାଜକୁମାରୀ ଶଶିଶେଣା ଓ ଅହିମାଣିକ୍ୟକୁ ନେଇ ଗଢି ଉଠିଥିବା ତ୍ରିକୋଣୀୟ ପ୍ରେମ କାହଣୀ ଯେତିକି ରୋଚକ ସେତିକି ଆକର୍ଷଣୀୟ । କାହାଣୀରେ ତନ୍ତ୍ର ସାଧିକା ଜ୍ଞାନଦେଇ ମାଲୁଣୀ ଚରିତ୍ରଟି ସୁବର୍ଣ୍ଣପୁର ଲୋକ କଥାରେ ବେଶ ମର୍ଯ୍ୟାଦା ପାଇଛି । ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରିପାରୁଥିବା ଏହି ଚରିତ୍ର କଥା ଓ କହାଣୀ ଆଜିବି ମନ୍ଦିର କାନ୍ଥରେ ଦେଖିବାକୁ ମିଳୁଛି । ସପ୍ତଦଶ ଶତାବ୍ଦୀରେ ପ୍ରତାପ ରାଏଙ୍କ ରଚିତ ଶଷିଶେଣା କାବ୍ୟରେ ଏ କଥା ଉଲ୍ଲେଖ ହୋଇଛି । ସେହିଭଳି ଏହି ତ୍ରିକୋଣୀୟ ପ୍ରେମ କାହାଣୀର ସନ୍ତକ ସ୍ବରୁପ ୧୯୨୦ ମସିହାରେ ମହାରାଜା ବିରମିତ୍ର ସିଂହଦେଓ ଏହି ମନ୍ଦିରଟିର ନିର୍ମାଣ କରିଥିବା ଐତିହାସିକମାନେ ମତ ଦିଅନ୍ତି ।
ସତରେ ଆଜିର ଦିନରେ ପ୍ରେମରେ ଛଳନା ହେବା ସହ ବଦଳିଯାଇଛି ପ୍ରେମର ପରିଭାଷା । ହେଲେ ସୁବର୍ଣ୍ଣପୁର ସହରରେ ଥିବା ଏହି ପ୍ରେମ ମନ୍ଦିର ଏକ ନିଚ୍ଛକ ପ୍ରେମ କାହାଣୀର ସନ୍ତକ ବହନ କରୁଛି ।