ତ୍ରିସ୍ତରୀୟ ଟି-୨୦ ସିରିଜରେ ଭାରତ ପକ୍ଷରୁ ଖେଳିବେ ଶିବୁନ ନନ୍ଦ

ବ୍ରହ୍ମପୁର : ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ। ପିଲାଟି ଦିନରୁ କଥା କହିପାରୁନଥିବା ଯୋଗୁଁ ପରିବାର ଲୋକେ ବେଶ ଚିନ୍ତାରେ ଥିଲେ । ହେଲେ ପିଲା ଦିନରୁ ହିଁ ଶିବୁନ କ୍ରିକେଟ ପ୍ରତି ବେଶ ଆଗ୍ରହ ଥିଲା । ପାଠପଢାରୁ ସମୟ ବାହାର କରି କ୍ରିକେଟ ଖେଳରେ ଲାଗିପଡୁଥିଲେ । ବ୍ରହ୍ମପୁର ସହରର ଗେଟ ବଜାର ଅଞ୍ଚଳର ଶିବୁନ ନନ୍ଦ। ଘର ନିକଟରେ ଥିବା ପଡ଼ିଆରେ ଖେଳୁ ଖେଳୁ ଭଲ ଖେଳ ହେଉଥିବା ନେଇ ଜାଣିବାକୁ ପାଇଥିଲେ ତାଙ୍କ ବାପା ଓ ମା । ଏହାପରେ ଶିବୁନର ଖେଳକୁ ଗୁରୁତ୍ବ ଦେଇ ବ୍ରହ୍ମପୁରର ଅମିତ କୁମାର ଦାସ ନାମକ ଜଣେ କ୍ରିକେଟ କୋଚଙ୍କ ନିକଟରେ ଶିବୁନଙ୍କୁ କ୍ରିକେଟ କୋଚିଂ ପାଇଁ ଛାଡିଥିଲେ ପରିବାର ଲୋକେ । ସେତେବେଳକୁ ଶିବୁନର ବୟସ ମାତ୍ର ୯ ବର୍ଷ ହୋଇଥିଲା। ଏହାପରେ ଶିବୁନ କ୍ରିକେଟ ଖେଳରୁ ଆଉ ପଛକୁ ଫେରିନଥିଲେ । ପ୍ରଥମେ ଶିବୁନ କଟକରେ ହୋଇଥିବା ଅଣ୍ଡର ୧୬ରେ ଚୟନ ହୋଇ ଭଲ ଖେଳିଥିଲେ । ଏହାପରେ ପୁଣି କଟକରେ ହିଁ ଅଣ୍ଡର ୧୯ରେ ଖେଳିଥିଲେ । ୨୦୨୪ରେ କଟକରେ ହୋଇଥିବା କଳାହାଣ୍ଡି କପରେ ଖେଳିଥିଲେ ଶିବୁନ ।

ସେହିପରି ଭୁବନେଶ୍ବରରେ ହୋଇଥିବା ସର୍ବଭାରତୀୟ ମୂକବଧିର କ୍ରିକେଟ ମ୍ୟାଚରେ ୨ଟି ମ୍ୟାଚରେ ୫ ୱିକେଟ ନେଇଥିଲେ । ରାଉରକେଲାରେ ହୋଇଥିବା ଆନ୍ତଃରାଜ୍ୟ ମୂକବଧିର କ୍ରିକେଟ ମ୍ୟାଚରେ ୩ଟି ମ୍ୟାଚରେ ୬ଟି ୱିକେଟ୍ ନେଇଥିଲେ ଶିବୁନ । ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ପୂର୍ବାଞ୍ଚଳ ମୂକ ବଧିର ମ୍ୟାଚରେ ଶିବୁନ ୪ଟି ମ୍ୟାଚରେ ୧୦ଟି ୱିକେଟ ନେଇ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ ହୋଇପାରିଥିଲେ ଶିବୁନ । ଯାହାଫଳରେ ତାଙ୍କୁ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ମୂକବଧିର ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ଖେଳିବା ପାଇଁ ଚୟନ ହୋଇଛନ୍ତି । ଭାରତ ପକ୍ଷରୁ ଶିବୁନ ପ୍ରତିନିଧିତ୍ଵ କରୁଥିବା ବେଳେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ ଖେଳିବେ ଶିବୁନ ବୋଲି କହିଛନ୍ତି ଶିବୁନଙ୍କ କୋଚ ।

ଶିବୁନର ପିଲାଟି ଦିନରୁ କ୍ରିକେଟ ପ୍ରତି ବେଶ ଆଗ୍ରହ ଥିଲା। ପାଠପଢ଼ା କମ କ୍ରିକେଟ ଅଧିକ ଖେଳିବା ପାଇଁ ପସନ୍ଦ କରୁଥିଲା । ସ୍କୁଲରୁ ପାଠପଢ଼ା ସାରି ଫେରିବା ପରେ କ୍ରିକେଟ ମ୍ୟାଚ ଖେଳିବା ପାଇଁ ଦୌଡୁଥିଲା ଶିବୁନ । ଶିବୁନର ଏଭଳି ଖେଳକୁ ଦେଖି ନିଶ୍ଚିତ ଭାବେ କ୍ରିକେଟରେ ସଫଳତା ପାଇବ ବୋଲି ଆଶା ଥିଲା । ସେହି ଆଶା ଆଜି ପୂରଣ ହୋଇଛି । ଶିବୁନ ଭାରତ ପାଇଁ ଖେଳିବାକୁ ଚୟନ ହୋଇଥିବା ବେଳେ ସେ ନିଶ୍ଚିତ ଭାବେ ଭଲ ଖେଳିବ ଓ ବିଜୟ ଲାଭ କରିବ ବୋଲି କହିଛନ୍ତି ଶିବୁନଙ୍କ ମା । ସେପଟେ ଶିବୁନ କ୍ରିକେଟକୁ ଛାଡ଼ିଦେଲେ ଅନ୍ୟକୌଣସି ଖେଳ ପ୍ରତି ତାର ଆଗ୍ରହ ନଥିଲା । କ୍ରିକେଟ ଖେଳରେ ପୂର୍ବରୁ ଶିବୁନ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିବା ବେଳେ ବର୍ତ୍ତମାନ ମଧ୍ୟ ସଫଳତା ପାଇବେ ବୋଲି ଆଶା ରଖିଥିବା କହିଛନ୍ତି ଶିବୁନଙ୍କ ମାମୁଁ ।