କାଳବୈଶାଖୀ ବର୍ଷା : ପର୍ଯ୍ୟଟକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ : କାଳବୈଶାଖୀ ପାଇଁ ଦୁଇ ଦିନ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଆଜିବି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଏଥିପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ବନ୍ଦ କରଯାଇଛି । ପ୍ରବଳ ବର୍ଷା ଓ ବଜ୍ରପାତ ପୂର୍ବାନୁମାନ ଯୋଗୁଁ ମାର୍ଚ୍ଚ ୨୨ ଓ ୨୩ ତାରିଖ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନି ।

ଅନ୍ୟପଟେ ଶିମିଳିପାଳ ମଧ୍ୟରେ ପାହାଡିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯଶିପୁର ପଟୁ କାଲିକାପ୍ରସାଦ ଓ ବାରିପଦା ପଟୁ ପିଠାବଟା ତନଖି ଫାଟକ ଦେଇ ଏହି ଦୁଇଦିନ ପର୍ଯ୍ୟଟକ ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ବର୍ଷା ପରର ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସା ନିକଟରେ ସର୍ବାଧିକ ବର୍ଷା ହେଇଥିବାର ରେକର୍ଡ କରାଯାଇଛି ।

 

ଆହୁରି ପଢ଼ନ୍ତୁ : ଉତ୍ତର ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ଘରଦ୍ବାର, ଉପାଡିଲା ଗଛ