ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା: ପରକୀୟା ପ୍ରୀତିକୁ ନେଇ ହତ୍ୟା କରିଛନ୍ତି ସ୍ତ୍ରୀ ଓ ପୁଅ !

ନୟାଗଡ: ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ଓ ପୁଅ ମିଶି କଲେ ହତ୍ୟା ! ମାଆ ପୁଅଙ୍କୁ ଗିରଫ ପରେ କରାଯିବ କୋର୍ଟଚାଲାଣ । ଆଜି ଦୁଇ ଜଣଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ କରିବ ପୋଲିସ୍ ।

ଖୋଲିଛି ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘଟଣା ପଛର ରହସ୍ୟ । ଯାହା ସୂଚନା ମିଳିଛି କି, ଗତ ଶୁକ୍ରବାର ଦିନ ନୟାଗଡ଼ ଜିଲ୍ଲା ପଞ୍ଚିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁ ଅଫିସ୍ କାମ ସାରି ରାତିରେ ଘରକୁ ଫେରିଥିଲେ । ଆଉ ଘରକୁ ଆସିବା ପରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ନମିତା ସାହୁ ଓ ପୁଅ ଅଭିଷେକ ରଣସିଂଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା । ସେଥିରେ ରାଗିଯାଇ ସ୍ତ୍ରୀ ଓ ପୁଅ ଘରେ ଥିବା ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

ଘଟଣାପରେ ଟାଉନ୍ ଥାନା ପୋଲିସ୍ ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ମାଧ୍ୟମରେ ତଦନ୍ତ କରିଥିଲେ । ମୃତଦେହ ବ୍ୟବଛେଦ ପାଇଁ ପୋଲିସ ନୟାଗଡ ପରେ କଟକ ପଠାଇ ଥିଲେ । ସ୍ତ୍ରୀ ନମିତା ଓ ପୁଅ ଅଭିଷେକକୁ ସନ୍ଦେହ କରି ପୋଲିସ ଅଟକ ରଖିଛି । ଆଜି ମାଆ ପୁଅଙ୍କୁ ନେଇ ପୋଲିସ ରିକ୍ରିଏସନ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସ୍ ପି ସୂଚନା ଦେଇଛନ୍ତି ।

ଏପଟେ ଦୁଇ ମାସ ତଳେ ଶରଣକୁଳ ପଞ୍ଚରିଡ଼ା ରେଞ୍ଜରେ ଯୋଗ ଦେଇଥିଲେ ଶିଶିର ସାହୁ । ତେବେ ଏଭଳି ଅଘଟଣା ଘଟିଲା କେମିତି ଓ କାହିଁକି? ତାକୁ ନେଇ ଚର୍ଚ୍ଚା ଚାଲିଥିଲା । ସମସ୍ତଙ୍କୁ ସବୁଠାରୁ ଚକିତ କରିଥିଲା କି, ଘର ଭିତରୁ ହିଁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା ତାପୁଣି ସ୍ତ୍ରୀ ଓ ପୁଅଙ୍କ ଉପସ୍ଥିତିରେ । ଘଟଣା ପରେ ହତ୍ୟା ଅଭିଯୋଗ ଆଣିଥିଲେ ମୃତ ଫରେଷ୍ଟରଙ୍କ ଭାଇ । ତେବେ ଏ ଘଟଣାର ଖୁବ ଶୀଘ୍ର ପର୍ଦାଫାଶ କରିବା ସହ ଦୋଷୀଙ୍କୁ ଉଚିତ୍ ଶାସ୍ତି ଦିଅଆଯିବ ବୋଲି ପ୍ରତିଶୃତି ଦେଇଥିଲେ ଅତିରିକ୍ତ ଏସପି ।

ଆହୁରି ପଢନ୍ତୁ: ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ