ଡାକ୍ତର ମରୁଡି ସାଙ୍ଗକୁ ହସ୍ପିଟାଲରେ କର୍ମଚାରୀ ଅଭାବ, ଅଳିଆ ଗଦାରେ ଅନେକ ଉପକରଣ

ଟାଙ୍ଗୀ: ୧୯୫୮ ମସିହାରେ ସ୍ଥାପିତ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସରୁ ୨୦୧୪ ମସିହାରେ ସାଧାରଣ ଚିକିତ୍ସାଳୟ ନାମରେ ଘୋଷଣା ହୋଇଛି ଚିକିତ୍ସାଳୟ । ୧୦୦ ଏକର ଜାଗାରେ ବ୍ୟାପିଛି ଏହି ସ୍ଥାନ । ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ସୀମାବର୍ତ୍ତୀ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ଅବସ୍ଥିତ । ଏଠାରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଅଛି ସତ କିନ୍ତୁ ସବୁ ଉପକରଣ ଅଳିଆ ଗଦାରେ । ପୁଣି ହସ୍ପିଟାଲରେ ଡାକ୍ତର ମରୁଡି ସାଙ୍ଗକୁ କର୍ମଚାରୀ ଅଭାବ । କୋଟି କୋଟି ଟଙ୍କାରେ ଯନ୍ତ୍ରପାତି ଯଥା ICU, ସେକେଣ୍ଡ OT, ଅକ୍ସିଜେନ ପ୍ଲାଣ୍ଟ, ଜେନେରେଟର ସମେତ ଅନେକ ଉପକରଣ ଅଳିଆ ଗଦାରେ ଥିବା ଭଳି ମନେ ହେଉଛି ।

ଏସିଆ ମହାଦେଶର ଦ୍ଵିତୀୟ ବୃହତମ ଯକ୍ଷ୍ମା ଚିକିତ୍ସାଳୟ ଭାବରେ ତତ କାଳୀନ ଅଭିବକ୍ତ ପୁରୀ ଜିଲ୍ଲା ତଥା ବର୍ତ୍ତମାନର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁରର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପ୍ରସିଦ୍ଧି ଅର୍ଜନ କରିଥିଲା । ୧୯୫୮ ମସିହାରେ ରଣପୁର ରାଜମାତା ତଥା ତତ୍ କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ମଞ୍ଜରୀ ଦେବୀଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୦୦ ଏକର ପରିମିତ ଜାଗାରେ ଯକ୍ଷ୍ମା ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ପ୍ରତିଷ୍ଠା କରାଯାଇଥିଲା । ତେବେ ଆଧୁନିକ ସମୟରେ ଯକ୍ଷ୍ମା ରୋଗର ଔଷଧ ପତ୍ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉପଲବ୍ଧ ହେଲା । ଏବଂ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଅତ୍ୟାଧୁନିକ ହସ୍ପିଟାଲରେ ପରିଣତ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେବା ଫଳରେ ଏହାକୁ ୨୦୧୪ ମସିହାରେ ସାଧାରଣ ହସ୍ପିଟାଲରେ ପରିଣତ କରାଯାଇଥିଲା । ପର୍ଯ୍ୟାପ୍ତ ଅର୍ଥ ବ୍ୟୟରେ ଅତ୍ୟାଧୁନିକ କୋଠାବାଡି, ଆବଶ୍ୟକ ପରୀକ୍ଷାଗାର, କର୍ମଚାରୀଙ୍କ କ୍ବାଟର ଇତ୍ୟାଦି ଯୁଦ୍ଧକାଳୀନ ଭିତିରେ ନିର୍ମାଣ ହେଲା । ହେଲେ ଏବେ ଏଠାରେ ଡାକ୍ତର କର୍ମଚାରୀଙ୍କ ନିଯୁକ୍ତି କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ଅତ୍ୟନ୍ତ ନୈରାଶ୍ୟଜନକ ହୋଇପଡିଛି । ୨୦ଜଣ ଡାକ୍ତରଙ୍କ ଜାଗାରେ ଅଛନ୍ତି ମାତ୍ର ୮ଜଣ, ୧୨୧ଜଣ କର୍ମଚାରୀଙ୍କ ସ୍ଥାନରେ ଦୀର୍ଘ ବର୍ଷ ହେଲା ୫୬ଟି ପଦବୀ ଖାଲି ପଡିଛି ।  ୪ଜଣ ଫାର୍ମାସିଷ୍ଟଙ୍କ ପରିବର୍ତ୍ତେ ଅଛନ୍ତି ମାତ୍ର ଜଣେ, ୩୮ଜଣ ନର୍ସିଂ ଅଫିସରଙ୍କ ସ୍ଥାନରେ ୨୮ଜଣ ଥିବାବେଳେ ୩ ଜଣ ଡେପୁଟେସନରେ ଅଛନ୍ତି । ୧୨ଜଣ ସୁରକ୍ଷା କର୍ମଚାରୀ ପାଳିକରି ଦାୟିତ୍ୱ ସମ୍ଭାଳୁଥିବା ଜଣାପଡିଛି । ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ରୋଗୀଙ୍କ ଅବସ୍ଥା କହିଲେ ନସରେ । ୱାର୍ଡ ଭିତରେ ଖରା ପଡିବା ଫଳରେ ରୋଗୀମାନେ ଅସହ୍ୟ ଯନ୍ତ୍ରଣା ପାଉଛନ୍ତି । ଦୁର୍ଭାଗ୍ୟର ବିଷୟ ଭେଣ୍ଟିଲେଟର ସମେତ ଅନ୍ୟ କେତେକ ସାମଗ୍ରୀ ନୟାଗଡ ମେଡିକାଲକୁ ସ୍ଥାନାନ୍ତରିତ କରି ଦିଆଯାଇଛି । ଏପଟେ ପ୍ରାୟ ୫୦ରୁ ଅଧିକ ଶଯ୍ୟା ଯାଜପୁର ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ଆଜକୁ ପ୍ରାୟ ଚାରି ବର୍ଷ ପୂର୍ବେ ସି ଶ୍ରେଣୀର ଟ୍ରମା କେୟାର କେନ୍ଦ୍ର ରୂପେ ଘୋଷଣା କରାଯାଇଥିଲା । ତାହା କେବଳ ଘୋଷଣାରେ ରହି ଯାଇଛି । ବର୍ତ୍ତମାନ ନାହିଁ ନାହିଁରେ ଚାଲିଛି ଚିକିତ୍ସାଳୟ ।

ତେବେ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଦାବି ହୋଇଆସୁଛି । ଦିନିକିଆ ଚାନ୍ଦପୁର ମେଡିକାଲ ଗ୍ରସ୍ତରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ନାଗରିକ ମଞ୍ଚର ସଦସ୍ୟ ତଥା ସ୍ଥାନୀୟ ବାସିନ୍ଦା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରଣପୁର ବିଧାୟିକା ତଥା ବାଚସ୍ପତିଙ୍କୁ ସାକ୍ଷାତ କରି ଚିକିତ୍ସାଳୟକୁ ଠିକ୍ କରିବା ସହିତ ଏହାକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ ଦାବିପତ୍ର ପ୍ରଦାନ କରି ଚିକିତ୍ସାଳୟର ଅସୁବିଧା ଓ  ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ତୁରନ୍ତ ସମସ୍ତ ସମସ୍ୟାର ସମାଧନ ସହ  ସାଧାରଣ ଚିକିତ୍ସାଳୟକୁ ମେଡିକାଲ କଲେଜ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Also Read:ଚିକିତ୍ସାଳୟକୁ ଆସିଲେନି ଡାକ୍ତର, ପରୀକ୍ଷା ପାଇଁ ଆସି ହଟହଟା ହେଲେ ଦିବ୍ୟାଙ୍ଗ