ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ , ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂବିଶ୍ବନାଥ ଖୁଣ୍ଟିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ଉତ୍ତର ମଗାଯାଇଛି । ୭ ଦିନ ମଧ୍ୟରେ ସନ୍ତୋଷ ଜନକ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି । ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଏହି କେଫିୟତ ଦାଖଲ କରିବାକୁ ନୋଟିସ ହୋଇଛି ।  ଧାର୍ଯ୍ୟ ସମୟ ଭିତରେ ଉତ୍ତର ନଦେଲେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ଗତ ୧୬ ତାରିଖରେ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରିଥିଲେ । ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ଉପସ୍ଥିତ ଥିବା ଭକ୍ତଙ୍କ ମାନେ ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ । ସେହିପରି ଶ୍ରୀମନ୍ଦିର ଗରିମା ଓ ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଥିଲା । ତେଣୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ସନ୍ତୋଷଜନକ କୈଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଅଛି ।