ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ବଡ଼ଦିନ ଓ ନୂଆବର୍ଷ ଲାଗି ଥିଲା ସ୍ଥଗିତ
ପୁରୀ : ଆଜିଠାରୁ ପୁଣି ତ୍ୱରାନ୍ୱିତ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ବଡ଼ଦିନ ଓ ନୂଆବର୍ଷ ଲାଗି ମରାମତି କାର୍ଯ୍ୟ ଗତ ୨୫ ତାରିଖ ଠାରୁ ସ୍ଥଗିତ ରହିଥିଲା । ଆଜିଠୁ ପୁଣି ଚାଲିବ କାମ । ଦ୍ଵିତୀୟ ଭୋଗ ମଣ୍ଡପ ଠାରୁ ସନ୍ଧ୍ୟା ଯାଏ ପ୍ରାୟ ୫ ରୁ ୬ ଘଣ୍ଟା ଧରି ମରାମତି କାର୍ଯ୍ୟ କରିବ ଏଏସଆଇ । ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଛି । ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡି ପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା । ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି । ଆଜିଠୁ ଷ୍ଟୋନ ବା ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ । ଆବଶ୍ୟକ ସ୍ଥଳେ ଫାଟ ଫାଟ ଥିବା ପଥର ପରିବର୍ତ୍ତନ ହେବ ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍ ଭାରାବନ୍ଧା କାମ ଶେଷ କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ପାଇଁ ୧୮ ତାରିଖ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖାଯାଇଥିଲା । ୧୯ ତାରିଖଠାରୁ ପୁଣି ମରାମତି କାମ ଆରମ୍ଭ ହୋଇଥିଲା ।