ଆଜି ନୀଳକନ୍ଦରକୁ ବିଜେ ହେବେ ମହାପ୍ରଭୁ, ଅଭିମାନିନୀ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଜଗନ୍ନାଥ

ପୁରୀ : ଆଜି ନୀଳକନ୍ଦରକୁ ବିଜେ କରିବେ ମହାପ୍ରଭୁ । ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ । ଜନ୍ମବେଦୀରୁ ଫେରିବା ପରେ ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ ଓ ଅଧରପଣା ନୀତି ଶେଷ ହୋଇଛି । ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ। ଯାହାକୁ ନୀଳାଦ୍ରୀବିଜେ କୁହାଯାଏ । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିର ଯିବେ ଚତୁର୍ଦ୍ଧା ବିଗ୍ରହ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟାରେ ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି ।

ପ୍ରଥମେ ମଦନମୋହନଙ୍କ ପହଣ୍ଡି ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯିବ । ଶେଷରେ ଜଗତରନାଥ ଜଗନ୍ନାଥଙ୍କ ପହଣ୍ଡି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରୁ ଓହ୍ଲାଇଵା ପୂର୍ବରୁ ଅଭିମାନିନୀ ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ତାଙ୍କ ସ୍ୱାମୀ ମହାପ୍ରଭୁ ଆସୁଥିଵା ଦେଖି ଲଷ୍ମୀ ସାଆନ୍ତାଣି ସେଠାରୁ ଫେରିଆସି ସିଂହଦ୍ୱାର ବନ୍ଦ କରିବାର ଵିଧି ରହିଛି । ମହାପ୍ରଭୁ ତାଙ୍କୁ ଛାଡି ଭାଇ ଓ ଭଉଣୀକୁ ଧରି ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ । ତେଣୁ ସିଂହଦ୍ୱାର ଠାରେ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କ ବଚନିକା ହେବା ପରେ ଦ୍ୱାର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନକୁ ଯିବା ପୂର୍ବରୁ ପୁଣି ମହାଲକ୍ଷ୍ମୀ ଜୟବିଜୟ ଦ୍ୱାରକୁ ବନ୍ଦ କରିଦେଇଥାନ୍ତି । ସେଠାରେ ପୁନର୍ବାର ବଚନିକା ହୋଇଥାଏ । ସେଠାରେ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ବୁଝାସୁଝା କରି ରସଗୋଲା ଖୁଆଇ ମାନଭଂଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇବାର ଵିଧି ରହି ଛି। ସେଥିପାଇଁ ନୀଳାଦ୍ରି ବିଜେ ଦିନ ଅଗଣିତ ଭକ୍ତ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିବାର ଵିଧି ରହିଛି । .