୧୩୩ ବର୍ଷରେ ପଦାର୍ପଣ କରିଛି ଶ୍ରୀ ଗୋପିନାଥଜୀଉଙ୍କ କାଏମା ମେଲଣ

ଯାଜପୁର : ଗାଁ ଠୁ ସହର ଏବେ ସବୁଠି ଧୁମଧାମ୍ ରେ ପାଳିତ ହୋଇଛି ଦୋଳଉତ୍ସବ । କେଉଁଠି ପୁରୁଣା ପରମ୍ପରାକୁ ନେଇ ପାଳିତ ହେଉଛି ମେଳଣ ତ ଆଉ କେଉଁଠି କଥାବସ୍ତୁକୁ ନେଇ ଶହଶହ ବର୍ଷ ହେବ ଲୋକେ ଦୋଳଉତ୍ସବକୁ ପାଳନ କରୁଛନ୍ତି । ମେଲଣ ବିଷୟରେ କହିଲାବେଳେ ଗୋପିନାଥଜୀଉଙ୍କ କାଏମା ମେଲଣ ବେଶ୍ ଜଣାଶୁଣା । କାରଣ ଏହା ଖୁବ୍ ପାରମ୍ପରିକ । ଏକ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଭଗବାନଙ୍କ ସହ ରଙ୍ଗ ଅବିର ଖେଳିବାର ଅନୁଭୂତି ମିଳିଥାଏ ବୋଲି ଶ୍ରଦ୍ଧାଳୁ କହିଥାଆନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଦୋଳ ମେଳଣ । ଚଳିତ ବର୍ଷ ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମାର ଶ୍ରୀ ଗୋପିନାଥଜୀଉଙ୍କ ମେଳଣ ୧୩୩ ବର୍ଷରେ ପଦାର୍ପଣ କରିଛି । ତେବେ ଏହି ଦୋଳ ମେଲଣ ରିତିକାନ୍ତି ଅନୁଯାୟୀ ମହାସମାରୋହରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ସ୍ଥାନୀୟ ଅଂଚଳରୁ ୨୦ରୁ ଉର୍ଦ୍ଧ ଛୋଟ ବଡ ବିମାନ ଯୋଗଦେଇ ଏଥିରେ ଫଗୁ ଖେଳିଥିଲେ । ପ୍ରଥମେ ଶ୍ରୀଶ୍ରୀ ଗୋପିନାଥ ଜୀଉ ବିମାନ ଥାନପତି ଆସନ ଅଳଙ୍କୃତ କରିବା ପରେ ସମସ୍ତ ବିମାନ ବିମାନ ଫଗୁ ଖେଳି ଏକତ୍ର ହୋଇଥିଲେ ।
ଠାକୁର ବାଡିଆମାନେ ବିମାନ ନିକଟରେ ନାମସଂକୀର୍ତନ ସହ ପାରମ୍ପରିକ ବାଦ୍ୟ ଓ ନୃତ୍ୟ କରି ମେଳଣ ପଡିଆରେ ଏକତ୍ର ହୋଇଥିଲେ । ସମସ୍ତ ବିମାନ ନିକଟରେ ଭୋଗ ଲାଗି କରାଯିବା ପରେ ଏହି ମେଲଣ ଉଦଯାପିତ ହୋଇଥିଲା । ମେଲଣ ପଡିଆରେ ବିଭିନ୍ନ ଦୋକାନ ପଡିଥିବାବେଳେ ଛୋଟ ଛୋଟ ପିଲାଙ୍କ ଖେଳିବା ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥିଲା । ଯାହାର ମଜା ଉଠାଇଥିଲେ ଦର୍ଶକ। ଶ୍ରୀ ଗୋପିନାଥ ଜୀଉ ମେଲଣ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଲଣ ପଡ଼ିଆ । ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ମେଲଣ ପଡ଼ିଆରେ ଏକାଠି ହୋଇ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି ।
Also Read:ରାସନ କାର୍ଡ ନିୟମକୁ ନେଇ ଚିନ୍ତାରେ ଶହ ଶହ ହିତାଧିକାରୀ, ଲୁହ ଗଡ଼ାଉଛନ୍ତି ମହିଳା