ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କଲେ କୁନି ଝିଅ ଶ୍ରିଷ୍ଟି, ଘରକୁ ଛୁଟୁଛି ପ୍ରଶଂସାର ସୁଅ

ଠୁକ୍ ଠୁକ୍ ଚାଲିବା ସହିତ ଖନଖନ ପାଟିରେ କଥା କହି ସମସ୍ତଙ୍କ ମନ ଜିଣିଛନ୍ତି ଶ୍ରିଷ୍ଟି । ବୟସ ମାତ୍ର ତିନିବର୍ଷ ଦଶମାସ । କିନ୍ତୁ ପାଠ ପଢ଼ାରେ ବେଶ ଧୁରନ୍ଧର । ଖେଳକୁଦ ବୟସରେ ପାଠ ପଢ଼ିବାର ଆଗ୍ରହ ତାଙ୍କୁ ଆଣିଦେଇଛି ସଫଳତା । ଆଉ ଶ୍ରିଷ୍ଟିଙ୍କ ସଫଳତା ପଛରେ ତାଙ୍କ ମା’ଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ । ଏ ସମାଜରେ ପିଲାମାନେ ଆଗକୁ ବଢିବା ପାଇଁ ମା’ ମାନଙ୍କ ଭୂମିକା ସବୁବେଳେ ଅଧିକ ଥାଏ । ଏମିତିକି ପିଲାମାନଙ୍କ ପାଠପଢ଼ା ହେଉ କି ଖେଳକୁଦ, ନୃତ୍ୟ ଓ ସଙ୍ଗୀତର ସଫଳତା ପଛରେ ମାଆଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ମା’ମାନଙ୍କ ସଂଘର୍ଷର ଏମିତି ବହୁ ଉଦାହରଣ ମଧ୍ୟ ରହିଛି । ତେବେ ଶ୍ରିଷ୍ଟିଙ୍କ ସଫଳତା ପଛରେ ବି ତାଙ୍କ ମା’ଙ୍କ ସଂଘର୍ଷ ବେଶ ପ୍ରଶଂସନୀୟ । କାହିଁକି ନା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ଭାଗନେଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଶ୍ରିଷ୍ଟି । ଶ୍ରିଷ୍ଟି ଦିଲ୍ଲୀରୁ ଆସିବା ପରେ ଘରକୁ ପ୍ରଶଂସାର ସୁଅ ଛୁଟୁଛି ।
ତିନିବର୍ଷ ଦଶମାସ ବୟସର ଶ୍ରିଷ୍ଟି ମଲ୍ଲିକ ଛୋଟ ବୟସରେ ନିଜ ଭିତରେ ଥିବା ପ୍ରତିଭା ପାଇଁ ଏବେ ସେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଞ୍ଚାୟତ ଅଣ୍ଡରା ଗାଁର ପୂର୍ବତନ ସରପଞ୍ଚ ସଂଜୀବ ମଲ୍ଲିକଙ୍କ ତିନିବର୍ଷ ଦଶମାସର ନାତୁଣୀ ଶ୍ରିଷ୍ଟି ମଲ୍ଲିକ l ଶ୍ରିଷ୍ଟି ମଲ୍ଲିକଙ୍କ ସଫଳତା ପଛରେ ରହିଛି ମାଆ ମନ୍ଦାକିନୀଙ୍କ ସହଯୋଗ । ସବୁଠୁ ବଡ କଥା ଶ୍ରିଷ୍ଟି ଏତେ କମ୍ ବୟସରେ ଇଂରାଜୀ, ହିନ୍ଦି ରାଇମସ, ମଣିଷ ଶରୀର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ନାମ,ଫୁଲଫଳ, ପଶୁପକ୍ଷୀଙ୍କ ନାମ ସହଜରେ ମନେ ରଖିଛନ୍ତି । ଗତବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ବେଳେ ଚଳିତବର୍ଷ ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି ଶ୍ରିଷ୍ଟି । ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ଏଗାର ତମ ସ୍ଥାନ ଅଧିକାର କରି ସଫଳତାର ଅଧିକାରୀ ହୋଇଛନ୍ତି । ଝିଅର ସଫଳତାକୁ ନେଇ ପରିବାର ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ଲହରୀ ।
ଅତି ଛୋଟ ବେଳୁ ଶ୍ରିଷ୍ଟି ପାଖରେ ଥିବା ସ୍ମରଣ ଶକ୍ତିକୁ ଦେଖି ପରିବାର ସଦସ୍ୟମାନେ ତାଙ୍କୁ ସମୟ ଦେଇ ଶ୍ରିଷ୍ଟିଙ୍କ ପ୍ରତିଭାକୁ ବିକଶିତ କରିବାକୁ ଚେଷ୍ଟା କରିଥିଲେ । ପରିବାରର ସମସ୍ତ କାର୍ଯ୍ୟ ସାରି ଶ୍ରିଷ୍ଟି ର ପାଠ ପଢ଼ାରେ ମନ୍ଦାକିନୀ ଲାଗିପଡନ୍ତି l ଆଜି ଶ୍ରିଷ୍ଟି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରିଷ୍ଟି ଦିଲ୍ଲୀରୁ ଆସିବା ପରେ ଘରକୁ ପ୍ରଶଂସାର ସୁଅ ଛୁଟୁଛି । ଶ୍ରିଷ୍ଟିଙ୍କ ଦକ୍ଷତାକୁ ନେଇ ଅଞ୍ଚଳବାସୀ ଗର୍ବ କରିବା ସହିତ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଶ୍ରିଷ୍ଟିକୁ ପ୍ରଶଂସା କରିଛନ୍ତି ।
କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସ୍ରୁଷ୍ଟି କରିଛନ୍ତି ଶ୍ରିଷ୍ଟି । ଶ୍ରିଷ୍ଟିଙ୍କୁ ଅନୁକରଣ କଲେ ଅନେକ କୁନିକୁନି ପିଲାମାନେ ଆଗାମୀ ଦିନରେ ରେକର୍ଡ ସୃଷ୍ଟି କରିପାରିବେ । ଆଜି କାଲିର ପିଲା ମୋବାଇଲ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଯାହାଦ୍ବାରା ସେମାନଙ୍କ ମାନସିକ କିମ୍ବା ବୌଦ୍ଧିକ ବିକାଶ ହୋଇରୁନାହିଁ । ତେଣୁ ପିଲାମାନଙ୍କୁ ପାଠ ପଢ଼ାରେ ନିୟୋଜିତ କରିବା ସହ ଖେଳକୁଦ ପାଇଁ ସହଯୋଗ କଲେ ସେମାନଙ୍କ ପ୍ରତିଭା ସାମ୍ନାକୁ ଆସିବ ।
Also Read : ଚାରି ବର୍ଷର ବିସ୍ମୟ ବାଳକ ଶିଭାନ୍ସ, ବିଚକ୍ଷଣ ବୁଦ୍ଧି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ