ବାତ୍ୟାରେ ପ୍ରଭାବିତ ସାଇବେରିଆନ୍ ପକ୍ଷୀ, ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି ଗାଁ ଲୋକଙ୍କ ସହ ବନ ବିଭାଗ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଧାନମଣ୍ଡଳ ଷ୍ଟେସନ ବଜାରରେ ଥିବା ଗଛ ଗୁଡିକରେ ଲାଗିଥାଏ ସାଇବେରିଆନ ବା ଗେଣ୍ଡାଳିଆ ପକ୍ଷୀଙ୍କ ଭିଡ । ବହୁ ବର୍ଷ ଧରି ସୁଦୂର ସାଇବେରିଆରୁ ଏଠାକୁ ଛୁଟି ଆସୁଛନ୍ତି ଏହି ସାଇବେରିଆନ ପକ୍ଷୀ । ଜନଗହଳି ପୂର୍ଣ୍ଣ ଷ୍ଟେସନ ବଜାର ଓ ଟ୍ରେନର ଶବ୍ଦ ଏମାନଙ୍କୁ ବିଚଳିତ କରେ ନାହିଁ । ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ସାଇବେରିଆନ୍ ପକ୍ଷୀ ଛୁଟିଆସିଥାନ୍ତି ଏହି ସ୍ଥାନକୁ । ଏମାନଙ୍କ ଆଗମନରେ ଏଠାକାର ଲୋକମାନେ ମୈାସୁମୀର ଆଗମନକୁ ଜାଣି ପାରିଥାନ୍ତି । ପାଣିପାଗ ବିଭାଗର ସୂଚନାକୁ ଏମାନେ ଯେତିକି ବିଶ୍ୱାସ କରିନଥାନ୍ତି ଏମାନଙ୍କ ଅଗମନରେ ସେମାନଙ୍କର ବିଶ୍ୱାସ ବଢିଯାଇଥାଏ । ଖାଲି ସେତିକି ନୁହେଁ ଏହି ପକ୍ଷୀମାନଙ୍କ ସ୍ୱଳ୍ପ ସମୟରହଣୀ ମଧ୍ୟରେ ସୁରକ୍ଷା ପାଇଁ ଅଣ୍ଟା ଭିଡିଥାନ୍ତି ଏଠାକାର ଲୋକେ । ଧାନମଣ୍ଡଳ ବଜାର କମିଟି, ଷ୍ଟେସନ୍ କର୍ମଚାରୀ ଓ ବନ ବିଭାଗ ଏମାନଙ୍କ ସୁରକ୍ଷା ଓ ନିରାପତା ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଥାନ୍ତି ।

କାହିଁ କୋଉ କାଳରୁ ପକ୍ଷୀମାନେ ଏଠାକୁ ଆସୁଥିବା ଏଠାକାର ଲୋକେ କୁହନ୍ତି । ଚଳିତ ବର୍ଷ ଏହି ସ୍ଥାନକୁ ପ୍ରାୟ ଛୁଟି ଆସିଥିଲେ ହଜାର ହଜାର ସଂଖ୍ୟାରେ ସାଇବେରିଆନ୍ ପକ୍ଷୀ । ଜୁନ୍ ମାସ ପ୍ରଥମ ଅବା ଦ୍ୱିତୀୟ ସପ୍ତାହ ସମୟରେ ଏମାନେ ଆସୁଥିବା ବେଳେ ମୈାସୁମୀ ଗଲା ପରେ ଏମାନେ ଏଠୁ ଚାଲିଯାଆନ୍ତି । ଏହି ସମୟରେ ପକ୍ଷୀମାନଙ୍କୁ ଦେଖିବାକୁ ଲୋକମାନଙ୍କ ଭିଡ ଜମିଥାଏ । ଅଂଚଳର ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ପାଇଁ ତରତର ହୋଇଥାନ୍ତି । ବ୍ୟବସାୟୀ ସଂଘ ଏବଂ ଅନ୍ୟାନ୍ୟ ସଂଗଠନର ମିଳିତ ଉଦ୍ୟମରେ ଏମାନଙ୍କୁ ସୁରକ୍ଷା ଯୋଗାଇଦିଆଯାଉଥିବା ବେଳେ ଚଣ୍ଡିଖୋଲ ବନ ବିଭାଗ ମଧ୍ୟ ଏଥିପ୍ରତି ସଜାଗ ରହିଥାଏ ।

କିନ୍ତୁ ବାତ୍ୟା ଦାନା ପ୍ରଭାବରେ ଯାଜପୁର ଜିଲ୍ଲାରେ ପବନ ସହ ବର୍ଷା ହୋଇଛି । ଏଥିରେ ପ୍ରଭାବିତ ହୋଇଛନ୍ତି ଏହି ସାଇବେରିଆନ୍ ପକ୍ଷୀମାନେ । ବଡ଼ଚଣା ବ୍ଲକ ଧାନମଣ୍ଡଳ ଷ୍ଟେସନ ବଜାରରେ ଥିବା ଏକାଧିକ ଗଛରେ ଥିବା ଅନେକ ସାଇବେରିଆନ ପକ୍ଷୀ ଗତକାଲି ରାତିରେ ବର୍ଷା ସହ ପବନ ହେବାରୁ ତଳକୁ ଖସିପଡି ଆହତ ହୋଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖିବାକୁ ପାଇଥିଲେ । ତେବେ ସ୍ଥାନୀୟ ଲୋଙ୍କ ସହ ଚଣ୍ଡିଖୋଲ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଆହତ ପକ୍ଷୀ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରେ ରଖି ସେମାନଙ୍କ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ବାତ୍ୟା ପରେ ସ୍ୱଭାବିକ ହୋଇନି ସ୍ଥିତି । କେତେକ ସ୍ଥାନରେ ରାତିରୁ ଲାଗି ରହିଛି ଲଗାଣ ବର୍ଷା । ଯାହା ପାଇଁ  ପ୍ରଭାବିତ ହୋଇଛନ୍ତି ଏହି ନୀରିହ ପକ୍ଷୀ । ଏମାନଙ୍କର ଉଚିତ୍ ଯତ୍ନ ନେବା ସହ ଏମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛି ବନ ବିଭାଗ ।

 

You might also like