ଦସ୍ତଖତକାରୀଙ୍କ ଅଜବ ଅନୁରୋଧ, କାହିଁକି ଲେଖିଲେ ‘କଲେକ୍ଟର ସାର୍ ପ୍ଲିଜ୍ ଗିଭ୍ ମି ଟୁ ଲାଖ୍ ରୁପିସ୍‌’?

ଗଜପତି: ଦେଶ ପାଳୁଛି ୭୮ ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୋଇଛନ୍ତି । ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଏକ ଭିନ୍ନ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି । ଆଉ ଏହି ଦସ୍ତଖତ ଅଭିଯାନରେ ଏମିତି ଏକ ବାର୍ତ୍ତା ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ସମସ୍ତେ ତାଜୁବ ହୋଇଛନ୍ତି । ବାର୍ତ୍ତାରେ ଲେଖାଯାଇଛି ‘କଲେକ୍ଟର ସାର୍ ପ୍ଲିଜ୍ ଗିଭ୍ ମି ଟୁ ଲାଖ୍ ରୁପିସ୍‌’ । ଏ ଲେଖାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଲେଖା ସହିତ ଦସ୍ତଖତକାରୀ ନିଜ ନମ୍ବର ଓ ଠିକଣା ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ପାରଳାଖେମୁଣ୍ଡିଠାରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା ସ୍ଥାନୀୟ ରାଜନହର ଛକ ଠାରୁ ବାହାରି ସହର ପରିକ୍ରମା କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉଦ୍ଦେଶ୍ୟ ନେଇ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ଦସ୍ତଖତ କରିବା ସହ ନିଜ ନିଜ ବାର୍ତ୍ତା ଲେଖିଥିଲେ । ସେଥିମଧ୍ୟରୁ ୨ଟି ବାର୍ତ୍ତା କୌତୁହଳ ପରିସ୍ଥିତି ସୃଷ୍ଟି କରିଥିଲା । କାହିଁକି ନା ୨ ଜଣ ଦସ୍ତଖତକାରୀ ‘କଲେକ୍ଟର ସାର୍ ପ୍ଲିଜ୍ ଗିଭ୍ ମି ଟୁ ଲାଖ୍ ରୁପିସ୍‌’ ବୋଲି ନିଜ ବାର୍ତ୍ତାରେ ଲେଖିଛନ୍ତି । ହର୍ ଘର୍ ତ୍ରିରଙ୍ଗା ଦସ୍ତଖତ ଅଭିଯାନ ଫ୍ଲେକ୍ସର ଉପରି ଭାଗରେ ଜଣେ ଦସ୍ତଖତକାରୀ ‘କଲେକ୍ଟର ସାର୍ ପ୍ଲିଜ୍ ଗିଭ୍ ମି ଟୁ ଲାଖ୍ ରୁପିସ୍‌’ ଲେଖିବା ସହ ତିନୋଟି ତୀର ଚିହ୍ନ କରି ଆଇ ଆମ୍ ଚେତନ, ବି.ବି. ଷ୍ଟ୍ରିଟ ଓ ମୋବାଇଲ ନମ୍ବର ଲେଖିଛନ୍ତି । ସେହିପରି ଫ୍ଲେକ୍ସ୍ ର ନିମ୍ନ ଭାଗରେ ଆଉ ଜଣେ ଦସ୍ତଖତକାରୀ ‘କଲେକ୍ଟର ସାର୍ ପ୍ଲିଜ୍ ଗିଭ୍ ମି ଟୁ ଲାଖ୍ ରୁପିସ୍‌’ ବୋଲି ନିଜ ବାର୍ତ୍ତାରେ ଲେଖିବା ସହ ଆଇ ଆମ୍ ହେମନ୍ତ ହନୁମାନ ନଗର ଲେଖିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ହର୍ ଘର୍ ତ୍ରିରଙ୍ଗା ଭଳି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଦସ୍ତଖତ ଅଭିଯାନରେ ଏଭଳି ବାର୍ତ୍ତା ସେମାନେ କାହିଁକି ଲେଖିଲେ ? ବାସ୍ତବରେ ସେମାନଙ୍କ କୌଣସି ଅସୁବିଧା ରହିଛି ନା ଅନ୍ୟ କୌଣସି କାରଣ ରହିଛି ଜିଲ୍ଲା ପ୍ରଶାସନ ଏଭଳି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଗ୍ରହଣ କରି ତଦନ୍ତ କରିବାର ଆବଶ୍ୟକ ରହିଛି ।

ଗଜପତି ରୁ ସନ୍ତୋଷ କୁମାର ପଟନାୟକଙ୍କ ରିପୋର୍ଟ କେନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like