କିଟ୍‌ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଘାଟିତ: ଉପସ୍ଥିତ ରହିଲେ ୭୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କର୍ମଚାରୀ

ଭୁବନେଶ୍ବର(କେନ୍ୟୁଜ୍): କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) ବୁଧବାର ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି । କିଟ୍‍ କ୍ରିକେଟ ଷ୍ଟାଡ଼ିଅମରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ କିଟ୍‍, କିସ୍‍, କିମ୍‍ସର ୭୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।

ଏହା ଦୀର୍ଘ ୩ ମାସ ଧରି ଚାଲିବାକୁ ଥିବା ବେଳେ ୨୦୨୩ ଫେବୃଆରୀ ୨୩ ତାରିଖ କିଟ୍‍ର ପ୍ରତିଷ୍ଠା ଦିବସରେ ଉଦ୍‍ଯାପିତ ହେବ । ଏହି ତିନି ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ଲୋକମାନଙ୍କୁ ଡକାଯାଇ ରୌପ୍ୟ ଜୟନ୍ତୀ ପାଳନ କରାଯିବ । ଏହି ସମୟ ମଧ୍ୟରେ କିଟ୍‍ ପକ୍ଷରୁ ନାନାଦି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ରୌପ୍ୟ ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଟ୍‍, କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜଣାଇବା ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରଗ୍‍ବୀ ଫୁଟବଲ୍‍ ସଂଘର ସଭାପତି ରାହୁଳ ବୋଷ, ଅଲିମ୍ପିଆନ୍‍ ତଥା କିଟ୍‍ ଛାତ୍ରୀ ଦୂତି ଚାନ୍ଦ, କିଟ୍‍ ଓ କିସ୍‍ର ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ଉପକୁଳାଧିପତି ପଦ୍ମଶ୍ରୀ ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଓ ଡା. ସିବିକେ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରୌପ୍ୟ ଜୟନ୍ତୀ ସମ୍ପର୍କରେ ସୂଚନା ଦେଇ କହିଲେ, ୧୯୯୨ରେ କିଟ୍‍ ଏକ ଅନୁଷ୍ଠାନ ଭାବେ ପଞ୍ଜୀକୃତ ହୋଇ ଆଇଟିଆଇ ଆରମ୍ଭ ହୋଇଥିଲେ ମଧ୍ୟ ୧୯୯୭ରେ କିଟ୍‍ରେ ବିଭିନ୍ନ ସ୍ନାତକ ଓ ଅନ୍ୟାନ୍ୟ (ଗ୍ରାଜୁଏଟ୍‍ ଓ ଅଣ୍ଡର-ଗ୍ରାଜୁଏଟ୍‍) ପାଠ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ୧୯୯୭କୁ ମୂଳ ବର୍ଷ ଭାବେ ଗଣନା କରାଯାଇ ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି । କିଟ୍‍ ସହ ଦୀର୍ଘ ୨୫ରୁ ଊର୍ଦ୍ଧ୍ୱ ସମୟ ଧରି ଯେଉଁମାନେ ଜଡ଼ିତ ରହିଆସିଛନ୍ତି ସେମାନଙ୍କୁ ଶ୍ରୀ ସାମନ୍ତ କୃତଜ୍ଞତା ଜଣାଇଥିଲେ । କିଟ୍‍ ଏହି ୨୫ବର୍ଷ ମଧ୍ୟରେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ମାଇଲଖୁଣ୍ଟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।

ଶେଷରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କିଟ୍‍ରେ ୨୫ବର୍ଷ ଧରି ଚାକିରି କରିଥିବା କର୍ମଚାରୀମାନେ କିଟ୍‍ରେ ସେମାନଙ୍କ ଅଭିଜ୍ଞତା ନେଇ ବକ୍ତବ୍ୟ ରଖିଥିଲେ । ପରେ ଆତସବାଜୀ, ଲାଇଟ୍‍ ଓ ସାଉଣ୍ଡ ଶୋ, କିଟ୍‍ ଛାତ୍ରଛାତ୍ରୀଙ୍କ ଲିଖିତ ଏକ ପୁସ୍ତିକା ଉନ୍ମୋଚନ ଏବଂ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.