ଏକାଠି ହୋଇପାରେ ବିଧାନସଭା ଓ ଲୋକସଭା ନିର୍ବାଚନ : ସବୁ ରାଜନୈତିକ ଦଳଙ୍କୁ ଚିଠି ଲେଖିଲେ ଲ’ କମିଶନ

ଜୁଲାଇ ୭ ଓ ୮ରେ ରାଜନୈତିକ ଦଳଙ୍କୁ ଭେଟିବେ କମିଶନ ଦେଶର ସବୁ ରାଜନୈତିକ ଦଳଙ୍କୁ ଲ' କମିଶନଙ୍କ ଚିଠି ।

ନୂଆଦିଲ୍ଲୀ : ଜୁଲାଇ ୭ ଓ ୮ରେ ରାଜନୈତିକ ଦଳଙ୍କୁ ଭେଟିବେ କମିଶନ ଦେଶର ସବୁ ରାଜନୈତିକ ଦଳଙ୍କୁ ଲ’ କମିଶନଙ୍କ ଚିଠି । ଏକାସାଙ୍ଗରେ ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ମତାମତ ମଗାଯାଇଛି । ଜୁନ୍‌ ୩୦ ସୁଦ୍ଧା ପ୍ରସ୍ତାବ ଦେବାକୁ କୁହାଯାଇଛି। ଏହାସହ ଜୁଲାଇ ୭ ଓ ୮ ତାରିଖରେ ସବୁ ରାଜନୈତିକ ଦଳଙ୍କୁ କମିଶନ ଭେଟିବେ । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏକାସାଙ୍ଗରେ ନିର୍ବାଚନ ପ୍ରସଙ୍ଗରେ ଏକ ସକାରାତ୍ମକ ଆଲୋଚନା ଆରମ୍ଭ କରିବାକୁ ଲ’ କମିଶନକୁ ଆହ୍ଵାନ ଦେଇଥିଲେ । ଲ’ କମିଶନଙ୍କ ପ୍ରସ୍ତାବ ମୁତାବକ ୨୦୧୯ରେ ଅଧା ରାଜ୍ୟରେ ନିର୍ବାଚନ ହେବ । ଆଉ ଅଧା ରାଜ୍ୟରେ ୨୦୨୪ରେ ହେବ ନିର୍ବାଚନ । ଦେଶରେ ୧୯୬୭ ପର୍ଯ୍ୟନ୍ତ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହେଉଥିଲା। ଏବେ ଏହା ପୁଣି ଆରମ୍ଭ କରିବାକୁ ଉଦ୍ୟମ ହେଉଛି।

ବର୍ତ୍ତମାନ ସୁଦ୍ଧା ଲ’ କମିଶନ ପ୍ରସ୍ତାବକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସ୍ୱାଗତ କରି ମତାମତ ଦେଇ ସାରିଲେଣି। ତେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସର ୮୪ତମ ମହାଧିବେଶନ ବେଳେ ଏକସଙ୍ଗେ ନିର୍ବାଚନକୁ ଦଳ ଆପତ୍ତି ଉଠାଇଥିଲା । କହିଥିଲା, ଏହା ସମ୍ବିଧାନ ସହ ଅସଙ୍ଗତି ହେବ ଏବଂ ଏହା ଅବାସ୍ତବ । ସେପଟେ ଏନେଇ  ବିଜେଡି କିଛି ସ୍ପଷ୍ଟ କରି ନଥିବା ବେଳେ କହିଛି, ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ।

୨୦୧୯ ଏପ୍ରିଲ-ମେ’ରେ ରହିଛି ଲୋକସଭା ନିର୍ବାଚନ। ସେ ସମୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ସିକିମ୍‌ ବିଧାନସଭା ନିର୍ବାଚନ ହେବ । କିନ୍ତୁ ୬ ମାସ ପୂର୍ବରୁ ମିଜୋରାମର ନିର୍ବାଚନ ରହିଛି। ସେଠାରେ ଡିସେମ୍ବର ୨୦୧୮ରେ ବିଧାନସଭା କାର୍ଯ୍ୟକାଳ ସରିବ । ସେହିପରି ୪ ମାସ ପୂର୍ବରୁ, ଅର୍ଥାତ ଜାନୁଆରୀ ୨୦୧୯ରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭାର ସମୟ ସରୁଛି । ସେହିପରି ଲୋକସଭା ନିର୍ବାଚନର ୫ ମାସ ପରେ ଅର୍ଥାତ ୨୦୧୯ ନଭେମ୍ବରରେ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ସରିବ । ଜାନୁଆରୀ ୨୦୨୦ରେ ସରୁଛି ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ । ଅର୍ଥାତ ଲୋକସଭା ନିର୍ବାଚନର ୭ ମାସ ପରେ ସେଠାରେ ନିର୍ବାଚନ ହେବ । ଏବେ ଯୋଜନା ହେଉଛି, ଲୋକସଭା ସହିତ ଏସବୁ ରାଜ୍ୟ ବିଧାନସଭାର ନିର୍ବାଚନ କରାଯିବ । କିନ୍ତୁ ଏକସଙ୍ଗେ ନିର୍ବାଚନ କରିବାକୁ  ହେଲେ ସମ୍ବିଧାନରେ ସଂଶୋଧନ ଜରୁରୀ। ଯାହାକୁ ନେଇ ତର୍ଜମା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.