ମନ୍ଦିରରେ ଚୋରି କରିବା ପୂର୍ବରୁ ଭଗବାନଙ୍କୁ ମୁଣ୍ଡିଆ ମାରିଲା ଚୋର, ସିସିଟିଭିରେ କଏଦ ହେଲା ଦୃଶ୍ୟ

“ଚୋର କହେ ପ୍ରଭୁ ତୁମେ ହିଁ ଭରଷା ଚୋରି କରିବାକୁ ଗଲେ । ଧନୀ କହେ ପ୍ରଭୁ ତୁମେ ହିଁ ଭରଷା, ରାତିରେ ଶେଯକୁ ଗଲେ । ତେବେ କାହା ଡାକ ତୁମେ ଶୁଣ, କୁହକୁହ ପ୍ରଭୁ ନାରାୟଣ” । ନବେ ଦଶକରେ ଏମିତି ଏକ ଚର୍ଚ୍ଚିତ ଭଜନ, ଗାଁ ଠୁ ସହର ପ୍ରତ୍ୟେକ ଗଳି-କନ୍ଦିରେ, ଟେପ୍ ରେକର୍ଡ଼ରେ ବାଜୁଥିଲା ଏହି ଲୋକପ୍ରିୟ ଗୀତ । ଏହାର ଅର୍ଥ…. ଧନୀ ଲୋକଟିଏ ରାତିରେ ଯେତେବେଳେ ଶୋଇବାକୁ ଯାଏ, ସେତେବେଳେ ତା’ର ଧନ-ସମ୍ପତ୍ତି ଚୋରି ନହୋଇ କିଭଳି ସୁରକ୍ଷିତ ରହିବ, ସେଥିପାଇଁ ସେ ଭଗବାନଙ୍କୁ ଡ଼ାକି ଶୋଇବାକୁ ଯାଏ ।

ସେହିଭଳି ରାତିରେ ଚୋରି କରିବାକୁ ଯାଉଥିବା ଚୋରଟିଏ ବି ଡାକେ, ଚୋରି କଲାବେଳେ ମୁଁ କେମିତି ଧରା ପଡ଼ିବି ନାହିଁ । ଆମେ ଏହା କହିବାର କାରଣ ଠିକ ଏମିତି ଏକ ଘଟଣା ଆମ ନଜରକୁ ଆସିଲା । ଯାହାକି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଥିବା ସିରିଡି-ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣାର ଏକ ସିସିଟିଭି ଫୁଟେଜ । କଥାରେ ଅଛି….”ଅତି ଭକ୍ତି ଚୋରର ଲକ୍ଷଣ” । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ଭଂଜନଗର ସିରିଡ଼ି ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣା ।

ମନ୍ଦିର ଭିତରେ ପଶିଥିବା ଚୋରଟିଏ, ସାଇବାବାଙ୍କ ଆସ୍ଥାନ ଉପରେ ଚଢ଼ିବା ପୂର୍ବରୁ, ସେହି ସ୍ଥାନକୁ କିଭଳି ଭାବେ ମୁଣ୍ଡରେ ଲଗାଇ, ଉପରକୁ ଚଢୁଛି । କେବଳ ସେତିକି ନୁହେଁ । ସିସିଟିଭି ଫୁଟେଜ୍ ରେ କଏଦ୍ ହୋଇଥିବା ଭିଜୁଆଲ୍ ଦେଖିଲେ ବଡ ଅଜବ୍ ଲାଗୁଥିଲା ଚୋରି ସମୟର ଦୃଶ୍ୟ । ରାତି ପ୍ରାୟ ସାତେ-ଗୋଟାଏ ସମୟର ଘଟଣା । ମୁହଁରେ ଗାମୁଛା ପିନ୍ଧି ମନ୍ଦିର ପାଚେରୀ ଡେଇଁ ୩ ଜଣ ଭିତରେ ପଶିଲେ । ଚିତ୍ର ଯାହା ବୟାନ କରୁଛି, ୩ ଜଣକ ମଧ୍ୟରୁ ଜଣେ ମହିଳା ଥିବା ଭଳି ଦୃଶ୍ୟମାନ ହେଉଛି ।

ସେହିଭଳି ସେମାନଙ୍କ ଭିତରୁ ଜଣେ ବଡ ନିଶୁଣିଟିଏ ଧରି ମନ୍ଦିରକୁ ଆସିଛି । ଯାହାକି ମନ୍ଦିରର ଉପରେ ଚଢ଼ି ଭିତରକୁ ଯିବାପାଇଁ ସୁବିଧା ହେବ । ସେୟା ହିଁ କଲେ । ମନ୍ଦିର ଭିତରେ ପଶି ସାଇବାବାଙ୍କ ସୁନା, ରୂପା ଅଳଙ୍କାର, ଦାନ ହୁଣ୍ଡି ଓ ପାଖରେ ଥିବା ଲୁହାବକ୍ସରୁ ନଗଦ ଟଙ୍କା ନେଇ ମନ୍ଦିରରେ କଳାକନା ବୁଲାଇଦେଲେ । ମନ୍ଦିର କମିଟି ସଦସ୍ୟଙ୍କ କହିବା ଅନୁସାରେ ବିଭିନ୍ନ ରୂପା ଅଳଙ୍କାର, ସୁନା ଅଳଙ୍କାର ଦୁଇଟି ହୁଣ୍ଡିରେ ପଡିଥିବା ଅନୁମାନିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ମନ୍ଦିର କାର୍ଯ୍ୟାଳୟରେ ଥିବା ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।

ସମୁଦାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରି ହେଇଥିବା ନେଇ ମନ୍ଦିର ପରିଚାଳନା କମିଟି ଅନୁମାନ କରୁଛି । ଏପଟେ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ସାଇଭକ୍ତଙ୍କ ମଧ୍ୟରେ ଏକପ୍ରକାର ନିରାଶ ଭାବ ସୃଷ୍ଟି ହୋଇଛି ।