ବାଲୁଗାଁ: ଛାତିଫଟା କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ସୁନା ଝିଅ ଆଜି ଚିର ନିଦ୍ରାରେ ଶୋଇପଡିଛି । ଘର ସାମ୍ନାରେ ବନ୍ଧୁ ବାନ୍ଧବ, ସାହି ପଡିଶା ଜମା ହୋଇଛନ୍ତି । ଏମିତି ମରଣକୁ ସ୍ୱୀକାର କରିପାରୁନାହାନ୍ତି ପରିବାର ଲୋକେ । ଗେଲ ବସରିଆ ଝିଅର ମରଶରୀର ନିଜ ଗାଁରେ ପହଞ୍ଚିଲା ପରର ଏ ଦୃଶ୍ୟ । ପୁରା ଗାଁ ଶୋକାକୁଳ ପରିବେଶରେ ପରିଣତ ହୋଇଯାଇଛି । ଭାଙ୍ଗିପଡିଛନ୍ତି ସଭିଏଁ । କଣ ଥିଲା କଣ ହେଇଗଲା କେଇ ମୁହୂର୍ତ୍ତରେ । ହଠାତ୍ ବସୁ କିଛି ବଦଳିଗଲା ।
କିଏ ବା ଜାଣିଥିଲା ଏହି ରାତି ଶେଷ ରାତି ହେବ ବୋଲି । ଭାଇ ଭଉଣୀ ଦୁଇ ଜଣ । ବହୁ ହସ ଖୁସିରେ ସବୁଦିନ ଖେଳକୁଦ କରି ସାରିବା ପରେ ପାଠ ପଢିଥାନ୍ତି । ଭଉଣୀ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସାନ ଭାଇ ତୃତୀୟ ଶ୍ରେଣୀରେ । ରାତିରେ ଖାଇସାରି ବାପା ମାଙ୍କ ସହିତ ଘରେ ଶୋଇଥିବା ସମୟରେ ହଠାତ୍ ଏକ ସାପ ଉଭୟଙ୍କୁ କାମୁଡି ଦେଇଥିଲା । ତେବେ ଏନେଇ ଜାଣିବା ପରେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା । ତେବେ ସେଠାରେ ଭଉଣୀର ମୃତ୍ୟୁ ହୋଇଥିଵା ବେଳେ ସାନ ଭାଇ ମରଣ ସହିତ ସଂଗ୍ରାମ କରୁଛି ।
ହଁ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମରେ । ଚକ୍ରଧର ବାରିକ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି ତଥା ମାନସିକ ବିକାରଗ୍ରସ୍ତ ମଧ୍ୟ । ପରିବାର କହିଲେ ନିଜ ସ୍ତ୍ରୀ, ଝିଅ ରୁପାଲୀ ଓ ପୁଅ ଆୟୁଷ । ରାତିରେ ଖାଇସାରି ନିଜ ଘରେ ଶୋଇଥିଲେ ପୁରା ପରିବାର । ଭାଇ ଭଉଣୀ ଗୋଟିଏ ଜାଗାରେ ଶୋଇଥିବା ବେଳେ, ହଠାତ୍ ରୁପାଲୀ ଭୋରୁ ଉଠି ମାକୁ ଉଠାଇ କହିଥିଲା ବୋଉ ମୋ ପେଟ କାଟୁଛି, ହାତ ଖଣ୍ଡିଆ ହେଇଯାଇଛି ଆଉ ଗଳା କଣ ହେଇଯାଉଛି । ଏହା ଶୁଣି ମା ନିଜ ବନ୍ଧୁ ବାନ୍ଧବଙ୍କୁ ଡାକି ତୁରନ୍ତ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷା କରି ଜାଣିବାକୁ ପାଇଲେ ରୁପାଲୀକୁ ସାପ କାମୁଡି ଦେଇଛି ।
ରୁପାଲୀର ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ତୁରନ୍ତ MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ MKCG ରେ ଚିକିତ୍ସାଧୀନ ଅବସ୍ଥାରେ ରୁପାଲୀକୁ ମୃତ ଘୋଷଣା କରିଥିଲେ ଡାକ୍ତର । ରୁପାଲୀକୁ ମେଡିକାଲ ନେବାର କିଛି ସମୟ ପରେ ସାନ ଭାଇ ଆୟୁଷର ମଧ୍ୟ ସମାନ ଭାବରେ ଦେହ ଖରାପ ହୋଇଥିଲା । ଆୟୁଷକୁ ମଧ୍ୟ ବାଲୁଗାଁ ମେଡିକାଲରେ ଭର୍ତ୍ତି କଲା ପରେ ବ୍ରହ୍ମପୁର ନିଆଯାଇଥିଲା । ହେଲେ ବର୍ତ୍ତମାନ ଆୟୁଷ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଛି ।
ଏପଟେ ପରିବାରର ସହମତିରେ ମୃତ ରୁପାଲୀର ଦୁଇ ଆଖି ଦାନ କରାଯାଇଥିବାରୁ ଅଞ୍ଚଳବାସୀ ବେଶ୍ ଗର୍ବିତ ମନେ କରିଛନ୍ତି । ବାପା ଚକ୍ରଧର ବାରିକ ଜଣେ ଶ୍ରମିକ ତଥା ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ସରକାର ଏହି ପରିବାର ପ୍ରତି ଦୃଷ୍ଟି ଦେବାପାଇଁ ପରିବାର ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
ତେବେ ଦର୍ଶକବନ୍ଧୁ ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ ବର୍ଷା ଋତୁ ଆସିବା ମାତ୍ରକେ ସାପମାନେ ବାହାରକୁ ବାହାରିଥାନ୍ତି । ଏହାସହିତ ଏହି ଋତୁ ସମୟରେ ସାରା ଦେଶରେ ଅନେକ ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ବରଣ କରିଥାନ୍ତି । ତେଣୁ ଏଥିପ୍ରତି ସଭିଏଁ ସତର୍କ ତଥା ସଜାଗ ରହିବା ନିହାତୀ ଉଚିତ୍ । ଯେମିତି କୌଣସି ଅସାବଧତା ପାଇଁ କାହାର ଜୀବନ ନଯାଉ ।