କିସ୍ ଛାତ୍ରୀ ମମତା ଦଳେଇଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ଜୀବନ ରକ୍ଷା ପଦକ

ଭୁବନେଶ୍ବର: କିସ୍ ଛାତ୍ରୀ ମମତା ଦଳେଇଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ଜୀବନ ରକ୍ଷା ପଦକ। ବର୍ଷ ୨୦୧୭ ପାଇଁ ତାଙ୍କୁ ଏହି ପଦକ ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସରେ ମମତାଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଷ୍ଟ୍ରପତିଙ୍କଠାରୁ ଆସିଥିବା ୧ଲକ୍ଷ ଟଙ୍କାର ଚେକ୍କୁ ମମତାଙ୍କୁ ପ୍ରଦାନ କରିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ୬ବର୍ଷର ମମତା କୁମ୍ଭୀର ମୁହଁରୁ ବଡ ଭଉଣୀ ଅଶାନ୍ତିଙ୍କୁ ବଞ୍ଚାଇଥିଲେ। ଅଶାନ୍ତି ଘର ପଛପଟ ପୋଖରୀକୁ ଯାଇଥିବାବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା।

ଏତିକିବେଳେ ସାହସ ଜୁଟାଇ କୁମ୍ଭୀର ମୁହଁରୁ ବଡ଼ ଭଉଣୀଙ୍କୁ ଟାଣି ଆଣିଥିଲେ। ମମତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ବାଙ୍କୁଆଳରେ। ଏଥିପାଇଁ ତାଙ୍କୁ ପୂର୍ବରୁ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ତାଙ୍କୁ ମିଳିବ ରାଷ୍ଟ୍ରପତି ଜୀବନରକ୍ଷା ପଦକ। ମମତା ଏବେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍-କିସରେ ପାଠ ପଢୁଛନ୍ତି।