ମାଲକାନଗିରି: ସହିଦ ଯବାନଙ୍କ ପ୍ରତିମୂର୍ତ୍ତିକୁ ପୂଜା କରୁଛନ୍ତି ଜଣେ ଯୁବତୀ । ଏପଟେ କୁନି କୁନି ଝିଅମାନେ ସହିଦ ଯବାନଙ୍କ ହାତରେ ବାନ୍ଧୁଛନ୍ତି ରାକ୍ଷୀ । ମାଟି ମା’ ପାଇଁ ସହିଦ ହୋଇଥିବା ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ । ପୁରୁଣା ସ୍ମୁତି ମନେ ପକାଇ ଭିଜିଲା ଭଉଣୀ ଆଖି ।
ରାକ୍ଷୀ ପୂର୍ଣିମାରେ ଭାଇ ଠାରୁ ଭଉଣୀ ଯେତେ ଦୂରରେ ଥାଉନା କାହିଁକି, ରାକ୍ଷୀଟିଏ ପଠେଇ ଥାଏ କିମ୍ବା ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଆମ ଦେଶକୁ ସୁରକ୍ଷା ଦେଉଥିବା ଯବାନ ଭାଇମାନଙ୍କୁ ବିଭିନ୍ନ ସ୍ଥାନରୁ ରାକ୍ଷୀ ପଠାନ୍ତି ଭଉଣୀମାନେ । କିନ୍ତୁ ଦେଶ ପାଇଁ ସହିଦ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଆରା ବାର୍ତ୍ତା ଦେଇଛନ୍ତି ଏମାନେ ।
ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଭାଇମାନଙ୍କୁ ରାକ୍ଷୀ ବାନ୍ଧି ଖୁବ୍ ଖୁସି ହୋଇଛନ୍ତି ଅନେକ ଭଉଣୀ । ଏମିତି ନିଆରା ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଏରାବୋର ଅଞ୍ଚଳରୁ । ଯେଉଁଠି ସହିଦ ଭାଇମାନଙ୍କ ପ୍ରତିମୂର୍ତ୍ତିରେ ଭଉଣୀମାନେ ରାକ୍ଷୀ ବାନ୍ଧିଛନ୍ତି । ଜୀବନ୍ତ ଅବସ୍ତାରେ ଯେଉଁଠି ଭାଇ ଓ ଭଉଣୀ ସମ୍ପର୍କ ମଧ୍ୟରେ ମଳିନତା ଆସି ଯାଉଛି, ସେହି ସମୟରେ ନିଜ ସହିଦ ଭାଇମାନଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି କୁନି କୁନି ଝିଅ ।
କଥାରେ ଅଛି ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ସ୍ବତନ୍ତ୍ର । ରାକ୍ଷୀ କେବଳ ଏକ ସୂତ୍ର ନୁହେଁ, ଏହା ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପ୍ରେମର ଅବିସ୍ମରଣୀୟ ବନ୍ଧନ । ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ସୁରକ୍ଷା ଦେବା ପାଇଁ ଶପଥ ନେଇଥାଏ ଭାଇ । ସମାନ ଭାବେ ଦେଶକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୧୨ ଜଣ ସହିଦ ଭାଇଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ଏହି ପବିତ୍ର ସମ୍ପର୍କ ବଜାୟ ରଖିଛନ୍ତି ତାଙ୍କ ଭଉଣୀମାନେ ।
ଏହି ଯବାନମାନେ ଦେଶ ମାତୃକାକୁ ସୁରକ୍ଷା ଦେବା ପାଇଁ ୧୪ ବର୍ଷ ତଳେ ମାଓବାଦୀଙ୍କ ସହ ଲଢେଇ କରିଥିଲେ । ନିଜ ଜୀବନକୁ ବଳିଦାନ ଦେଇଥିଲେ ଦେଶବାସୀଙ୍କ ପାଇଁ । ହେଲେ ୧୪ ବର୍ଷ ପରେ ମଧ୍ୟ ଆଜି ବି ସହିଦ ଭାଇମାନେ ଭଉଣୀମାନଙ୍କ ସ୍ମୃତିରେ ବଞ୍ଚିଛନ୍ତି । ତାଙ୍କ ସ୍ମୃତିକୁ ମନେ ପକାଇ ତାଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧୁଥିବା ଭଉଣୀମାନଙ୍କ ଆଖି ଲୁହରେ ଭିଜି ଯାଇଛି ।
ଦେଶ ସେବାରେ ସହିଦ ହୋଇଥିବା ଏହି ବୀର ଭାଇମାନଙ୍କୁ ହରାଇଥିବା ଭଉଣୀର ଆଖି ଭିଜିଛି ସତ, କିନ୍ତୁ ନିଜ ଭାଇମାନଙ୍କ ବଳିଦାନ ପାଇଁ ସେମାନେ ଗର୍ବିତ ଅନୁଭବ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି । ରାକ୍ଷୀ ପୂର୍ଣିମାରେ ସହିଦ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଭଉଣୀମାନେ ପୁରୁଣା ସ୍ମୁତିକୁ ମନେ ପକାଇବା ସହ ସବୁ ଜନ୍ମରେ ଏପରି ବୀର ଭାଇମାନଙ୍କ ଭଉଣୀ ହେବା ପାଇଁ ପ୍ରାର୍ଥନା କରିଛନ୍ତି ।