ନିର୍ବାଚନ ବେଳେ ଜବତ ୩୮୦୦ କୋଟି ଟଙ୍କାର ମୂଳ କେଉଁଠି ? ଖୋଜୁଛି SIT

କଟକ : ୨୦୧୯ ନିର୍ବାଚନ ସମୟରେ ଜବତ ହୋଇଥିଲା ୩୮୦୦ କୋଟି ଟଙ୍କା। ଏତେ ଟଙ୍କା କେଉଁଠୁ ଆସିଲା । ମୂଳ କେଉଁଠି, ତାର ଅନୁସନ୍ଧାନ କରାଯାଉଛି। କଳାଧନ ସମ୍ପର୍କିତ ଏସ୍‌ଆଟି ବୈଠକ ଆଜି ବସିଥିଲା। ନିର୍ବାଚନ ବେଳେ କଳାଧନକୁ ନେଇ ହୋଇଥିଲା ଆଲୋଚନା। ନଗଦ ଟଙ୍କା ସହ ବହୁ ପରିମାଣର ନାର୍କୋଟିକ୍ସ ଡ୍ରଗ୍ସ ଓ ହୀରା ଜବତ ହୋଇଥିଲା। କଳାଧନ ରୋକିବାକୁ ଆଇନରେ ସଂଶୋଧନ ଆବଶ୍ୟକ ବୋଲି କହିଛନ୍ତି ଜଷ୍ଟିସ ଅରଜିତ ପଶାୟତ। ଏହାସହ କଳାଧନ ମାମଲାରେ ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ସ୍ଥାପନ ପାଇଁ ପୂର୍ବରୁ ରିପୋର୍ଟ ଦିଆଯାଇଥିଲା। ଏବେ ଆଗାମୀ ରିପୋର୍ଟରେ ଏହି ପ୍ରସ୍ତାବ ପୁଣି ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ପାଶାୟତ। ଦୁଇ ମାସ ମଧ୍ୟରେ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ସିବିଆଇ ରେଡ୍‌ ସଂଖ୍ୟା ବଢିଛି। ବିଭିନ୍ନ ମାଇକ୍ରୋ ଫାଇନ୍ସ ସଂସ୍ଥାରେ ଚଢାଉ କରି ପ୍ରାୟ ୯୦ ଲକ୍ଷ ଟଙ୍କା ଜବତ କରାଯାଇଛି।

ଆଜି ଅପରାହ୍ନରେ କଟକ ସ୍ଥିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରଜିତ ପଶାୟତଙ୍କ ବାସଭବନରେ ବସିଥିଲା ବୈଠକ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ୨୨ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସିବିଆଇ, ଆୟକର, ଭିଜିଲାନ୍ସ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଅର୍ଥ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ଗତବର୍ଷ ଜୁନ୍‌ ୧୬ରେ ଶେଷ ଥର ପାଇଁ ଏସ୍‌ଆଇଟି ବୈଠକ ବସିଥିଲା । ଏଯାଏ SITର ୭ଟି ବୈଠକ ଓଡ଼ିଶାରେ ବସିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଳାଧନ ପ୍ରସଙ୍ଗରେ ଏସଆଇଟି ଗଠନ ହୋଇଛି।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।