ଆଜି କଳାଧନ ସମ୍ପର୍କିତ SIT ବୈଠକ, ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ

କଟକ : ଆଜି କଳାଧନ ସମ୍ପର୍କିତ SIT ବୈଠକ । ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ତେଲେଙ୍ଗାବଜାର ସ୍ଥିତ ବାସଭବନରେ ପୂର୍ବାହ୍ନ ୧୦ ଟାରେ ବୈଠକ ବସିବ । ଆଗାମୀ ୧୫ ଦିନ ମଧ୍ୟରେ ଏସଆଇଟି ସର୍ବୋଚ୍ଚ ନ୍ୟାୟାଳୟରେ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବାର ଥିବା ବେଳେ ତା ପୂର୍ବରୁ ଏହା ଅନ୍ତିମ ବୈଠକ । ଇଡି ନିର୍ଦ୍ଦେଶକ ରାହୁଲ ନବୀନ ବୈଠକରେ ଯୋଗଦେବେ । ତାଙ୍କ ସହ ଉପସ୍ଥିତ ରହିବେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମ୍ୟାନ ରବି ଅଗ୍ରୱାଲ ଏବଂ ଭାରତର ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ ।
ଗତ ଦୁଇ ମାସରେ ଓଡିଶା ଭିଜିଲାନ୍ସ ଧରିଥିବା କୋଟିପତି ବାବୁମାନଙ୍କ ସମ୍ପର୍କରେ ତଥ୍ୟ ଏସଆଇଟି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ମାଗିଛନ୍ତି । ବିଶେଷ ଭାବେ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଓ ଓଡ଼ିଶାର କଳାଧନ ସମ୍ପର୍କିତ ଆଲୋଚନା ଏହି ବୈଠକରେ ହେବାର ରହିଛି । ଏସଆଇଟିର ଏହି ବୈଠକରେ ସିବିଆଇ, କଷ୍ଟମ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ ଯୋଗ ଦେଉଥିବାର ଜଣାପଡିଛି । ରାଜ୍ୟ ସରକାରଙ୍କ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ଭିଜିଲାନ୍ସ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ମଧ୍ୟ ଯୋଗ ଦେବାର ରହିଛି ।
ପୂର୍ବରୁ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗକୁ ରିପୋର୍ଟ ଦାଖଲ କରିବା ପାଇଁ ଏସଆଇଟି ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଦାଖଲ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବା ସହ କଳାଧନ ଗଛିତ କରିବାର ନୂଆ ନୂଆ ତରିକା ସମ୍ପର୍କରେ ଆଲୋଚନା ହେବାର ରହିଛି । ବିଭିନ୍ନ ବିଭାଗ କିଭଳି ଏ ସମ୍ପର୍କରେ ପଦକ୍ଷେପ ନେବେ ଏବଂ ଗତ ଦୁଇ ବର୍ଷ ମଧ୍ୟରେ ବିଭାଗ ଗୁଡିକୁ ମିଳିଥିବା ସଫଳତା ସମ୍ପର୍କରେ ଆଲୋଚନା ହେବାର ରହିଛି ।