ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର : ଆଜି ରାତିରେ ହେବ ଦେବ ବିବାହ
ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବେ ଦେବ ଦେବ ମହାଦେବ । ରୀତି ନୀତି ଅନୁସାରେ ସକାଳ ୭ଟାରେ ଗଣ୍ଠାଳ ଫିଟା ପରେ ୯ଟାରେ କନ୍ୟା ପକ୍ଷ ପରିବାର ମନ୍ଦିରକୁ ଆସି ମାତା ପାର୍ବତୀଙ୍କୁ ନେଇ ଘରକୁ ଯିବେ ।

ସମ୍ବଲପୁର : ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ଆଜି ରାତିରେ ହେବ ଦେବ ବିବାହ । ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବେ ଦେବ ଦେବ ମହାଦେବ । ରୀତି ନୀତି ଅନୁସାରେ ସକାଳ ୭ଟାରେ ଗଣ୍ଠାଳ ଫିଟା ପରେ ୯ଟାରେ କନ୍ୟା ପକ୍ଷ ପରିବାର ମନ୍ଦିରକୁ ଆସି ମାତା ପାର୍ବତୀଙ୍କୁ ନେଇ ଘରକୁ ଯିବେ । ୯ଟା ୩୦ରେ ମହାଦେବଙ୍କ ରୁଦ୍ରାଭିଷେକ ଏବଂ ୧୦ଟା ୩୦ରେ ଶୃଙ୍ଗାର ବେଶ ହେବ । ସେହିପରି ସଂଧ୍ୟା ଆଳତୀ ପରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହେବ । ରାତି ୧୧ଟାରେ ବରବେଶରେ ସଜେଇ ହୋଇ ବିବାହ ପାଇଁ ବାହାରିବେ ମହାଦେବ । ଏହାପରେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ବିବାହ ସରିଲା ପରେ ଭକ୍ତମାନଙ୍କୁ ଯୁଗଳ ବେଶରେ ଦର୍ଶନ ଦେବେ ମହାଦେବ ଓ ମାତା ପାର୍ବତୀ। ଦେବ ବିବାହ ପାଇଁ ସମ୍ବଲପୁରରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଜମିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଅନ୍ଯପଟେ ଧୁମ୍ଧାମ୍ରେ ବରଗଡ଼ ଜିଲ୍ଲା ବରପାଲିରେ ଶେଷ ହୋଇଛି ଦେବ ଦେବ ମହାଦେବ ମାତା ପାର୍ବତୀଙ୍କ ବିବାହ। ଆସନ୍ତାକାଲି ଦେବ ଦମ୍ପତିଙ୍କ ଲମ୍ବାଣୀ ଯୋଭାଯାତ୍ରା। ବାଜା ବାଜଣା, ଘଣ୍ଟ ଘଣ୍ଟା, ଶଙ୍ଖ ମହୁରୀରେ ବେଶ୍ ଯାକଯମକରେ ବାହାରିଥିଲା ବାବା କପିଳେଶ୍ୱରଙ୍କ ଶୋଭାଯାତ୍ରା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବହୁ କଳାକାରଙ୍କ ନାଚଗୀତ ଓ ବାଜାବାଜଣାରେ କମ୍ପି ଉଠିଥିଲା ପରିବେଶ। ରାତି ୧୧ଟାରୁ ବାହାରିଥିବା ଶୋଭାଯାତ୍ରା ସକାଳ ୬ଟାରେ ହିମାଦ୍ରୀନଗର ସାଜିତିବା କପିଳେଶ୍ୱର ନଗରରେ ପହଞ୍ଚିଥିଲା। ଏହାପରେ ଶେଷ ହୋଇଥିବା ବିବାହ କାର୍ଯ୍ୟ। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।
ସେହିପରି ଭଦ୍ରକ ଆରଡି ଆଖଣ୍ଡଳମଣୀଙ୍କ ପୀଠ ହୋଇ ଉଠିଛି ଲୋକାରଣ୍ଯ । ହର ପାର୍ବତୀଙ୍କ ବିବାହ ପାଇଁ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ସକାଳ ପ୍ରାୟ ୧୦.୩୦ ସମୟରେ ପ୍ରଭୁ ହନୁମାନ ବରଧରା ବେଶରେ ବର କର୍ତ୍ତାଙ୍କ ଘରେ ପହଂଚିଥିଲେ । ଅତ୍ଯନ୍ତ ମନୋରମ ଥିଲା ଏହି ଦୃଶ୍ୟ ।