ସ୍ବାଭାବିକ ହେଉଛି ମୁକୁନ୍ଦପ୍ରସାଦ, ଛକରେ ଛକରେ ପଇଁତରା ମାରୁଛି ପୋଲିସ

ଖୋର୍ଦ୍ଧା : ସ୍ବାଭାବିକ ହେଉଛି ମୁକୁନ୍ଦପ୍ରସାଦ । ଧୀରେ ଧୀରେ ଫେରୁଛି ଶାନ୍ତି । ଛକରେ ଛକରେ ପଇଁତରା ମାରୁଛି ପୋଲିସ । ଶାନ୍ତି ଫେରାଇ ଆଣିବାକୁ ପୋଲିସର ଫ୍ଲାଗମାର୍ଚ୍ଚ । ଧାରା ୧୬୩ ଲାଗୁ ହୋଇଥିବାରୁ ଲୋକଙ୍କ ଗତିବିଧି ଉପରେ ପୋଲିସ କଡ଼ା ନଜର ରଖିଛି । ୧୩ଟି ସ୍ଥାନରେ ମୁତୟନ ହୋଇଛନ୍ତି ତିନି ପ୍ଲାଟୁନ ପୋଲିସ ଫୋର୍ସ । ଗତକାଲି ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ଜଣେ ଯୁବକଙ୍କୁ ହତ୍ୟା ପରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଘଟଣାସ୍ଥଳକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ପରେ ଡିଜିପି ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ଆଇନକୁ ହାତକୁ ନନେବାକୁ ପରାମର୍ଶ ଦେଇଥିଲେ ପୋଲିସ ଡିଜି ୱାଇବି ଖୁରାନିଆ । ଆଜି ମୁକୁନ୍ଦପ୍ରସାଦରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଭେଟି ଶାନ୍ତି ବଜାୟ ରଖିବାକୁ ଅପିଲ କରାଯାଇଛି ।