ସଙ୍କଟାପନ୍ନ ବିଦ୍ୟୁତ ତାର ତଳେ ଗାଁର ଛଅ ପରିବାର, କେତେବେଳେ ଅଘଟଣ ଘଟିବ କହିହେବନି

କୁଚିଣ୍ଡା: ଛାତର ଏକ ଫୁଟ ଉପରେ ଯାଇଛି ଇଲେଭେନ କେଭି ବିଦ୍ୟୁତ ତାର । ଛାତକୁ ଯିବାକୁ ଭୟ କରୁଛନ୍ତି ପରିବାର । ଆଉ ଅଦିନରେ କାଳ ବୈଶାଖୀ ହେଉଥିବାରୁ ଘର ଲୋକଙ୍କ ମୁଣ୍ଡରେ ଘାରିଛି ଚିନ୍ତା । ପିଲା ଛୁଆ ନେଇ ଘରେ ରହୁଛନ୍ତି । କାଳେ କେତେବେଳେ ଅଘଟଣ ଘଟିବ କହିହେବନି । ସବୁଠାରୁ ବଡ଼ କଥା ହେଉଛି ଏହି ୧୧ କେଭିର ବିଦ୍ୟୁତ ତାର ଜଣଙ୍କ ଘର ଉପରେ ଯାଇନି ଆଜ୍ଞା ଗାଁର ୬ଟି ଘର ଉପରେ ଯାଇଛି ଏହି ବିଦ୍ୟୁତ ତାର । ଏନେଇ ଭୟଭୀତ ଅଛନ୍ତି ଗାଁ ଲୋକେ ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅର୍ଜୁନଡିହି ଗାଁରେ ଦେଖିବାକୁ ମିଳିଛି ବିଦ୍ୟୁତ ବିଭାଗର ଖାମଖିଆଲି ନୀତି । ଏଇ ଗାଁର ଛଅ ଗୋଟି ପରିବାରର ଛାତର ଏକ ଫୁଟ ଉପରେ ଇଲେଭେନ କେଭି ବିଦ୍ୟୁତ ତାର ଯାଇଥିବାରୁ, ପ୍ରତ୍ୟେକ ଦିନ ଭୟରେ ରହୁଛନ୍ତି ପରିବାର । ଆଗକୁ ବର୍ଷା ଋତୁ ସାଙ୍ଗକୁ ବର୍ତ୍ତମାନର କାଳବୈଶାଖୀ ଲୋକଙ୍କ ନିଦ ହଜାଇ ଦେଇଛି । କେତେବେଳେ ଯେ ଅଘଟଣ ଘଟିବ ସେଇ ଚିନ୍ତାରେ ପରିବାର । ଏନେଇ ଗ୍ରାମବାସୀ ଜିଲ୍ଲାପାଳ ସମେତ ବିଦ୍ୟୁତ ବିଭାଗ ଏସଡିଓ, କନିଷ୍ଠ ଯନ୍ତ୍ରୀଙ୍କୁ ବିଦ୍ୟୁତ ତାର ସ୍ଥାନାନ୍ତର ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟୁତ ତାର ସ୍ଥାନାନ୍ତର ପାଇଁ ବିଳମ୍ବ ହେବ କିନ୍ତୁ ସମସ୍ୟାରେ ଅସ୍ଥାୟୀ ସମାଧାନ ଏଇ ଆଠ ଦିନ ଭିତରେ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏ ପରିବାର ଲୋକଙ୍କ ମୁଣ୍ଡ ଉପରେ ଯେମିତି ମୃତ୍ୟୁ ଝୁଲୁଛି । ଗରିବ ଲୋକ ଏମାନେ ଭିଟାମାଟିରେ ଘର କରି ରହୁଛନ୍ତି । ଅନ୍ୟତ୍ର ଘର କରି ରହିବାକୁ ଏମାନେ ସକ୍ଷମ ନୁହଁନ୍ତି । ପିଲା ଛୁଆଙ୍କୁ ନେଇ ଅତି ବିପଦପୂର୍ଣ୍ଣ ଭାବେ ଘରେ ରହୁଛନ୍ତି । ତେବେ ଏହି ସମସ୍ୟାକୁ ଗୁରୁତର ସହ ନେଇ ଯଥାଶୀଘ୍ର ବିଦ୍ୟୁତ ତାର ସ୍ଥାନାନ୍ତର କରାଯାଉ ତାହା ହିଁ ସାଧାରଣରେ ଦାବି ।

Also Read:ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ