ରାଜ୍ୟରେ ୬ଟି ମେଗା ଉତ୍ପାଦନ ପ୍ରକଳ୍ପକୁ ଅନୁମୋଦନ, ହାଇଲେଭଲ୍‌ କ୍ଲିୟରାନ୍ସ ଅଥରିଟି ଦେଲା ମଞ୍ଜୁରୀ

ଭୁବନେଶ୍ବର(କେନ୍ଯୁଜ୍): ଶିଳ୍ପ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପୂର୍ବରୁ ଆଜି ୬ଟି ମେଗା ଉତ୍ପାଦନ ପ୍ରକଳ୍ପକୁ ମିଳିଲା ଅନୁମୋଦନ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହାଇ ଲେଭଲ୍‌ କ୍ଲିୟରାନ୍ସ ଅଥରିଟି ୬ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଏହାଦ୍ୱାରା ୨୫ ହଜାର ୮୪୫ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ପ୍ରକଳ୍ପ କାର୍ଯ୍ଯକ୍ଷମ ହେଲେ ୧୩ ହଜାର ୭ ଶହ ନିଯୁକ୍ତି ସୃଷ୍ଟି ହେବ । ପାରାଦୀପରେ ଚିରିପାଲ୍‌ ପଲି ଫିଲ୍ମସ୍‌ ଲିମିଟେଡ୍‌ ୧୧ଶହ କୋଟି ଟଙ୍କା ନିବେଶ କରିବ । ସେହିପରି ହିଣ୍ଡାଲ୍‌ କୋ ଇଣ୍ଡଷ୍ଟ୍ରିଜ୍‌ ସମ୍ବଲପୁର ଜିଲ୍ଲା ଲପଙ୍ଗାରେ ଆଲୁମିନିୟମ୍‌ ଉତ୍ପାଦନ ପ୍ରକଳ୍ପ କରିବ । ନିବେଶ କରିବ ୫ ହଜାର କୋଟି ଟଙ୍କା । ସେହିପରି ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ରିଫାଇନାରୀ ସମ୍ପ୍ରସାରଣକୁ ମିଳିଛି ହାଇ ଲେଭଲ୍‌ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ । ନିବେଶ ହେବ ୬ ହଜାର ୪୮୩ କୋଟି ଟଙ୍କା ।

cmmmmସେହିପରି ବେଦାନ୍ତ ଲିମିଟେଡ୍‌ ଭଦ୍ରକ ଜିଲ୍ଲା ଧାମରାରେ କଷ୍ଟିସ ସୋଡ଼ା ଉତ୍ପାଦନ କ୍ଷେତ୍ରରେ ନିବେଶ କରିବ ୬ ହଜାର ୫ଶହ କୋଟି ଟଙ୍କା । ଝାରସୁଗୁଡ଼ା ବୁର୍ଖାମୁଣ୍ଡା ସ୍ଥିତ ବେଦାନ୍ତର ଆଲୁମିନିୟମ ସ୍ମେଲଟରର ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି । ଏଥିରେ ୧୨ ଶହ ୪୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହା ବ୍ୟତୀୟ ନାଲ୍‌କୋ ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ୫ ହଜାର ୫୨୨ କୋଟି ଟଙ୍କା ପୁଞ୍ଜି ନିବେଶରେ ଆଲୁମିନିୟମ୍‌ ଡାଉନ୍‌ ଷ୍ଟ୍ରିମ୍‌ ପ୍ରକଳ୍ପ କରିବ । ଏସବୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହାଇ ଲେଭଲ୍‌ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ଦେଇଛି । ଏହାସହ ଆଜି ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ଯାୟରେ ୬ଟି କ୍ଷେତ୍ରରେ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏସବୁ ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ ୧ ହଜାର ୮୦୨ କୋଟି ୯୨ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ । ପାଖାପାଖି ୯ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।