୧୧୫ ପ୍ରକାର ଫ୍ଲାସ କାର୍ଡକୁ ଦେଖି ଚିହ୍ନିପାରୁଛି କୁନି ଝିଅ ଶ୍ଲୋକା, ପ୍ରତିଭା ପାଇଁ ୱାର୍ଲ୍ଡ ରେକର୍ଡରେ ମିଳିଲା ସ୍ଥାନ

ଯେ କୌଣସି ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ କିଛି ଲୋକ ଅନେକ ପ୍ରକାରର କାମ କରନ୍ତି ।  ହେଲେ ୬ ମାସର ଶିଶୁ ଶ୍ଲୋକା ନୋବେଲ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା କିଛି କମ କଥା ନୁହେଁ । ଗଜପତି ପାରଳାଖେମୁଣ୍ଡି କୃଷ୍ଣ ନଗର ଅଞ୍ଚଳର ସାଇ ଶ୍ଲୋକା ପାଇକ ।  ବୟସ ମାତ୍ର ୬ ମାସ । ହେଲେ ସେ ବର୍ତ୍ତମାନ ନୋବେଲ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି ।

୩ ମାସ ବୟସରୁ ଝିଅର ପ୍ରତିଭାକୁ ବାହାରକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଅଭିଭାବକ । ଅଭିଭାବକ ଝିଅର ଏଭଳି ସଫଳତାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି । ଗର୍ଭଧାରଣ ପରଠାରୁ ଗର୍ଭ ସଂସ୍କାର କାମ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ସାଇ ଶ୍ଲୋକା ବାପା ମା’ । ଝିଅ ଜନ୍ମ ହେବା ପରେ ଇଣ୍ଟରନେଟ ମାଧ୍ୟମରେ ଫ୍ଲାସ କାର୍ଡ ସଂପର୍କରେ ଜାଣିବାକୁ ପାଇଥିଲେ । ପରେ ଅନଲାଇନରେ ବିଭିନ୍ନ ପ୍ରକାରର କାର୍ଡ ମଗାଇ ଝିଅକୁ ଦେଖାଇ ଚିହ୍ନାଇବା ଆରମ୍ଭ କରିଥିଲେ । ଦିନକୁ ମାତ୍ର ୨ମିନିଟ ଏଭଳି କରିଆସୁଛନ୍ତି । ବର୍ତ୍ତମାନ ୧୧୫ ପ୍ରକାର ଫ୍ଲାସ କାର୍ଡ ଚିହ୍ନିପାରୁଛନ୍ତି ସାଇ ଶ୍ଲୋକା । ସେ ବିଭିନ୍ନ ପଶୁ, ପକ୍ଷୀ, ମହାପୁରୁଷଙ୍କୁ ଚିହ୍ନିପାରୁଛନ୍ତି ।  ବର୍ତ୍ତମାନ ଝିଅ ନୋବେଲ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ବେଶ ଗର୍ବ ଅନୁଭବ କରୁଥିବା କହିଛନ୍ତି ବାପା ମା’ ।

ସାଇ ଶ୍ଲୋକାଙ୍କ ଏହି ସଫଳତାକୁ ନେଇ କେବଳ ଅଭିଭାବକ ନୁହନ୍ତି ପାରଳାଖେମୁଣ୍ଡି ସହରର ସାଧାରଣ ଲୋକେ ମଧ୍ୟ ବେଶ ଖୁସି ପ୍ରକାଶ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।  ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜଣେ ୬ ମାସର ଶିଶୁ କାର୍ଡକୁ ଦେଖି ବିଭିନ୍ନ ପଶୁ, ପକ୍ଷୀ, ମହାପୁରୁଷଙ୍କୁ ଚିହ୍ନିପାରୁଛି । ଯାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ।  ତେଣୁ ତାଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି ।

ଆଜି କାଲିର ପିଲା ମୋବାଇଲ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ।  ଯାହାଦ୍ବାରା ସେମାନଙ୍କ ମାନସିକ କିମ୍ବା ବୌଦ୍ଧିକ ବିକାଶ ହୋଇରୁନାହିଁ । ଏଭଳି ସ୍ଥିତିରେ ସାଇ ଶ୍ଲୋକାଙ୍କ ଅଭିଭାବକ ଅନୁଶ୍ରୀ ଏବଂ ନିଶିକାନ୍ତଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ।

ଆହୁରି ପଢ଼ନ୍ତୁ : ସାୟନ ପରି ଜଣେ କୃତି ପ୍ରତିଭା ପାଇଁ ଗର୍ବିତ ବାପା ମା’, କନିଷ୍ଠ ବର୍ଗରେ ହେଲେ ଚମ୍ପିୟାନ