ବେସାହାରା ଅବସ୍ଥାରେ ଦିନ କାଟୁଛନ୍ତି ବାପା,ମା ଛେଉଣ୍ଡ ଛଅ ଅନାଥ ଝିଅ, ଅସରାଏ ଦୁଖଃ ଛଡା କିଛି ନାହିଁ ଏମାନଙ୍କର
ଗଜପତି(କେନ୍ଯୁଜ୍): ବାପା କିମ୍ବା ମାଙ୍କର ମୃତ୍ୟୁ ହୋଇଗଲେ ସେହି ପରିବାର ଚଳିବା କେତେ କଷ୍ଟକର ତାହା ଆମେ ଜାଣିଛେ । ଏପରିକି ଆଜିକା ଦିନରେ ବାପା,ମା ଥାଇ ମଧ୍ୟ ନିଜ ସନ୍ତାନର ସବୁ ଆବଶ୍ୟତା ପୂରଣ କରିବା ସମ୍ଭବପର ହୋଇପାରୁନାହିଁ । ଏପରିସ୍ଥିତିରେ ଉଭୟ ବାପା,ମାଙ୍କୁ ହରାଇ ଛଅ ଜଣ ଅନାଥ ଝିଅ ଦେଢ ବର୍ଷ ହେବ କିପରି ବଞ୍ଚୁଥିବେ, ଥରେ ଭାବନ୍ତୁ ତ ।
ଗଜପତି ଜିଲ୍ଲା ନୂଆଁଗଡ ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ରହିଛି ଖାରିସାହି ଗ୍ରାମ । ଗ୍ରାମକୁ ପକ୍କା ସଡକ ଟିଏ ନାହିଁ । ଏଠାରେ ଅନେକ କଷ୍ଟରେ ପହଞ୍ଚିବାକୁ ପଡିଥାଏ । ଏହି ଗ୍ରାମର ଉର୍ବଙ୍ଗ ଦଳବେହେରା ଓ ସୁଜନୀ ଦଳବେହେରାଙ୍କ ଛଅ ଝିଅ ବର୍ତ୍ତମାନ ଅନାଥ । ଉର୍ବଙ୍ଗ ଜ୍ୱରରେ ପିଡିତ ହୋଇ ଗତ ୫ ଏପ୍ରିଲ୍ ୨୦୨୦ରେ ଓ ସୁଜନୀ ୯ ଏପ୍ରିଲ୍ ୨୦୨୦ ତାରିଖରେ ଜ୍ୱରରେ ପିଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ହେଲେ ଛାଡି ଚାଲିଯାଇଛନ୍ତି ୬ଜଣ ଝିଅକୁ ।
ବଡ ଝିଅ ସୁରଜନୀ ଦଳବେହେରାଙ୍କୁ ୧୭ବର୍ଷ, ତା ତଳ ଉର୍ବନିଙ୍କୁ ୧୪ବର୍ଷ, ତ୍ରିବେଣୀଙ୍କୁ ୯ବର୍ଷ, ଅଞ୍ଜଳିତାକୁ ୭ବର୍ଷ, ସରିତାଙ୍କୁ ୩ବର୍ଷ ଓ ସଭା ସାନ ନନ୍ଦିତାଙ୍କୁ ୨ବର୍ଷ । ଏମାନେ ଅଜାଙ୍କ ଘରେ ଦେଢ ବର୍ଷ ହେବ ରହିଆସୁଛନ୍ତି । ସେପଟେ ପାଠରେ ଡୋରୀ ଲଗାଇ ସୁରଜନୀ ଓ ଉର୍ବନୀ ଦିନକୁ ୧୦୦ଟଙ୍କା ପାଇଁ ମୁଲଲାଗି ପରିବାର ଚଳାଉଛନ୍ତି । ସବୁଦିନ କାମ ମିଳୁନଥିବା ବେଳେ ସରିତା ଓ ନନ୍ଦିତା ଦୁଇ ସାନ ଭଉଣି କାଖ ଚାଡୁ ନାହାଁନ୍ତି । ଘରେ ପ୍ରତ୍ୟେକ ଦିନ ଦୁଇମୁଠା ଭାତ ମଧ୍ୟ ଯୋଗାଡ ହୋଇପାରୁ ନଥିବା ବେଳେ ଯାଉଖାଇ ଦିନ କାଟୁଛନ୍ତି । ଏମାନେ ରହୁଥିବା ଘର ମଧ୍ୟ ଅର୍ଦ୍ଦ ନିର୍ମିତ ଅବସ୍ଥାରେ ରହିଛି। ବାପାମାଁ ଛାଡିଗଲେ ଶତ କିନ୍ତୁ ଅସରାଏ ଦୁଖଃ ଛଡା ନା ସମ୍ପତି ନା ଜମିବାଡି କିଛି ବି ନାହିଁ ଏହି ଛଅ ଝିଅଙ୍କ ପାଇଁ ।
ଅନ୍ଯପଟେ ଗ୍ରାମବାସୀ, ଅଜାଆଇ ଓ ଅଙ୍ଗାନାୱାଡିରୁ ଯାହା କିଛି ଖାଦ୍ୟ ପାଇ ଏହି ଛଅ ଅନାଥ ଝିଅ ବଞ୍ଚିଛନ୍ତି । ଏମାନଙ୍କ ପରିସ୍ଥିତି ଦେଖି କେବଳ ପରିବାର ବର୍ଗ ନୁହେଁ ଗ୍ରାମବାସୀ ମଧ୍ୟ ଅଖିରୁ ଲୁହ ଝରାଉଛନ୍ତି । ଗତ ଦେଢ ବର୍ଷରେ ବ୍ଲକ, ପଞ୍ଚାୟତ ଓ ଜିଲ୍ଲାସ୍ତରରେ ସାହାଯ୍ଯ ପାଇଁ ଗ୍ରାମବାସୀ ଓ ଅଙ୍ଗନାୱାଡି କର୍ମି ପ୍ରଚେଷ୍ଟା କରିବା ପରେ ମଧ୍ୟ ଫଳ ଶୂନ । ନାଁ ସରକାରୀ ସାହାଯ୍ଯ ମିଳିଛି ନା ଜିଲ୍ଲାପ୍ରଶାସନ ଏମାନଙ୍କ ପାଖରେ ପହଞ୍ଚିଛି । ଏପଟେ ବୃଦ୍ଧାବସ୍ଥାରେ ଅଜା ମଧ୍ୟ କିଛି କରିପାରୁ ନାହାଁନ୍ତି । ତେବେ ସରକାର ସାହାଯ୍ଯ କଲେ ପାଠ ପଢିବାକୁ ଇଛା ଥିବା କହିଛନ୍ତି ଏମାନେ ।
ସେପଟେ ଖାରିସାହି ମିନି ଅଙ୍ଗନୱାଡି କର୍ମି ସୁନ୍ତକି ଗମାଙ୍ଗ କହିଛନ୍ତି ଆସିଡିଏସ ସୁପରଭାଇଜର ଓ ସିଡିପିଓ ନୂଆଁଗଡକୁ ଜଣାଇବା ସହ ପାରଳାଖେମୁଣ୍ଡି ଦୁଇଥର ଏହି ଅନାଥ ପିଲାମାନଙ୍କୁ ନେଇକି ଯାଇଛନ୍ତି । ଛତୁଆ, ଅଣ୍ଡା ଓ ଯାହା ସବୁ ପୃଷ୍ଟୀକର ଖାଦ୍ୟ ଯୋଗାଉଛନ୍ତି, କିନ୍ତୁ ଆର୍ଶିବାଦ ଯୋଜନାରେ ଏମାନଙ୍କୁ ସାମିଲ କରିଥିଲେ ଭଲ ହୁଅନ୍ତା ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରକୃତରେ ଘଟଣା ବିଷୟରେ ଗତ ସପ୍ତାହରେ ସିଡବ୍ଲୁସି ଅଧ୍ୟକ୍ଷ ଜାଣିବା ପରେ କିପରି ପିଲାମାନଙ୍କୁ ଅତି ଶୀଘ୍ର ଆଶ୍ରୀବାଦ ଯୋଜନାରେ ସାମିଲ କରାଯାଇପାରିବ ସେନେଇ ପ୍ରୟାସ ଆରମ୍ଭ କରାଯାଇଥିବା ଜଣାପଡିଛି ।
ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ୬ଜଣ ଅନାଥ ଝିଅଙ୍କୁ ଆର୍ଥିକ କିମ୍ବା ଅନ୍ୟ କିଛି ସାହାଯ୍ଯ କରିବାକୁ ଚାହାଁନ୍ତି ତେବେ ସୁରଜନୀ ଦଳବେହେରା, ଗ୍ରାମ-ଖାରିସାହି, ପୋଷ୍ଟ – ପରିମଳ, ଜିଲ୍ଲା – ଗଜପତି, ଓଡିଶା,
ପିନ କୋର୍ଡ – ୭୬୧୦୧୬,
ଫୋନ ନମ୍ବର – ୯୪୩୯୧୫୯୪୦୩ ରେ ଯୋଗାଯୋଗ କରିପାରିବେ ।
ଏକାଉଣ୍ଟନମ୍ବର – ୨୮୧୨୦୦୧୭୦୦୦୬୮୯୫୩, ପଞ୍ଜାବ ନେସନାଲ ବ୍ୟାଙ୍କ, ସାରାଳାପଦର ସାଖା
ଆଇଏଫଏସସି କୋର୍ଡ – ପିୟୁଏନବି୦୨୮୧୨୦୦ ରେ ସହାୟତାର ହାତ ବଢାଇପାରିବେ ।
ଗଜପତିରୁ ସନ୍ତୋଷ କୁମାର ପଟ୍ଟନାୟକ, କେନ୍ଯୁଜ୍