ଶ୍ରେଣୀ ଗୃହର ଅଭାବ, ମାତ୍ର ଦୁଇଟି କକ୍ଷରେ ପାଠ ପଢ଼ୁଛନ୍ତି ୬ଟି ଶ୍ରେଣୀର ପିଲା

ଆନନ୍ଦପୁର: ଅନ୍ଧାର ଭିତରେ ବର୍ତ୍ତମାନ ଦେଶର ଭବିଷ୍ୟତ । ଶିକ୍ଷାର ଉନ୍ନତି ପାଇଁ ଶତ ଚେଷ୍ଟା କରାଯାଉଥିଲେ ମଧ୍ୟ ପ୍ରକୃତ କ୍ଷେତ୍ରରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଭିତ୍ତିଭୂମିର ଅଭାବ ସହିତ ଆବଶ୍ୟକୀୟ ଶିକ୍ଷକ ଅଭାବ ଏଠାକାର ଶିକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଇଂରେଜ ଅମଳରୁ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଅବହେଳାର ଶିକାର ହେଉଛି ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁରେ  ୧୯୧୯ ମସିହାରେ ସ୍ଥାପନ ହୋଇଥିଲା ପୁରୁଣାବାନ୍ଧଗୋଡ଼ା ପ୍ରାଥମିକ ବିଦ୍ୟାଳୟ । ସ୍ଥାନୀୟ  ବୁଦ୍ଧିଜୀବିଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ କୋମଳମତୀ ଶିଶୁ ଏଠାରେ ଅଧ୍ୟୟନ କରୁଥିଲେ । ପର୍ଯ୍ୟାୟ କ୍ରମେ  ବିଦ୍ୟାଳୟରୁ ଶିକ୍ଷକ ବଦଳି ଏବଂ ଅବସର ଗ୍ରହଣ ପରେ ଶିକ୍ଷକ ପଦବୀ ପୂରଣ ନହେବାରୁ ଅଭିଭାବକ ନିଜ ପିଲାମାନଙ୍କୁ ଅନ୍ୟତ୍ର ପାଠ ପଢାଇଲେ । ଫଳରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ସହ ଏବେ ଶିଶୁ ବାଟିକାକୁ ମିଶାଇ ୬ ଟି ଶ୍ରେଣୀରେ ୫୧ ଜଣ ଶିଶୁ ଅଧ୍ୟୟନ କରୁଛନ୍ତି । କିନ୍ତୁ ପାଠ ପଢାଇବାକୁ ଅଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ । ଫଳରେ ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।

ଶ୍ରେଣୀ ଗୃହ ଅଭାବ ଥିବାରୁ ମାତ୍ର ଦୁଇଟି କକ୍ଷରେ ୬ଟି ଶ୍ରେଣୀର ପିଲା ଏକା ସାଙ୍ଗରେ ବସି ପାଠ ପଢୁଥିବା ଦେଖାଯାଉଛି । ୫୦ ବର୍ଷ ପୂର୍ବରୁ ନିର୍ମିତ ଶ୍ରେଣୀଗୃହ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ ଏବେ କୋମଳମତି ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଅସୁରକ୍ଷିତ ଶ୍ରେଣୀ ଗୃହ ଗୁଡିକୁ ଭାଙ୍ଗିଦେବାକୁ ସ୍ଥାନୀୟ ଅଭିଭାବକମାନେ ଦାବି କରିଛନ୍ତି ।

ସେପଟେ ଶିକ୍ଷକ ଏବଂ ଶ୍ରେଣୀଗୃହ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରେ ବିଦ୍ୟାଳୟ କମିଟି ପକ୍ଷରୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ  ଫଳ ଶୂନ । ଅନ୍ୟପଟେ  ବ୍ଲକ ଶିକ୍ଷାଧିକାରୀଙ୍କ କହିବା କଥା ପାଖ  ବିଦ୍ୟାଳୟରୁ ସହ ମତି ଭିତ୍ତିରେ  ଜଣେ ଶିକ୍ଷକଙ୍କୁ ସେହି ବିଦ୍ୟାଳୟରେ ଅବସ୍ଥାପିତ କରାଯିବା ସହିତ ଅର୍ଦ୍ଧଭଗ୍ନ ବିଦ୍ୟାଳୟ ସମ୍ପର୍କରେ ଲିଖିତ ଅଭିଯୋଗ ଆସିଲେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନିଆଯିବ ।

ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦୟନୀୟ ଅବସ୍ଥାରେ ଥିବା ଏହି ଇଂରେଜ ଅମଳର ବିଦ୍ୟାଳୟର ସ୍ଥିତି କେବେ ସୁଧୁରିବ ତାକୁ ହିଁ ଅପେକ୍ଷା ।

Also Read:ପିଲାଙ୍କ ଜୀବନ ସହ ଖେଳ, ଭଙ୍ଗା ଦଦରା କୋଠା ଉପରେ ନିର୍ମାଣ ହେଉଛି ନୂଆ ଶ୍ରେଣୀ ଗୃହ