ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରେ ନର କଙ୍କାଳ ଉଦ୍ଧାର କରାଯାଇଛି। ନର କଙ୍କାଳଟି ସମ୍ପୂର୍ଣ୍ଣ ଶରୀରର ହୋଇଥିବାରୁ ମୃତ ଦେହକୁ ବସ୍ତାରେ ଭର୍ତ୍ତି କରି ୩/୪ ମାସ ହେବ ଫୋପଡ଼ା ଯାଇଥିବା ଲୋକେ ସନ୍ଦେହ କରିଛନ୍ତି। ତେବେ ଏହା ପୁରୁଷ କି ମହିଳାର କଙ୍କାଳ ତାହା ଜଣାପଡିନାହିଁ।

ଗତକାଲି ସ୍ଥାନୀୟ ଲୋକେ ମୁକ୍ତିଆମ୍ବ ନିକଟରେ ପରିତ୍ୟକ୍ତ ଅଖା ପଡ଼ିଥିବା ଦେଖିବାକୁ ପାଇଥିଲେ। ଆଖାଟି ଖୋଲିଲା ବେଳକୁ ସେଥିରେ ନର କଙ୍କାଳ ଥିବା ଦେଖିବାକୁ ମିଳିଥିଲା। ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପାଡୁଆ ପୋଲିସ ଏସଆଇ ବେନିଆ ଓ ପୋଲିସ ଦଳ ପହଞ୍ଚି ତନାଘନା କରୁଛି। କୋରାପୁଟରୁ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ମାଜିଷ୍ଟ୍ରେଟ ନନ୍ଦପୁର ବିଡିଓ ସୁଜିତ କୁମାର ମିଶ୍ରଙ୍କ ଉପସ୍ଥିତିରେ କଂକାଳକୁ ଜବତ କରାଯାଇଛି। କଙ୍କାଳଟି ପୁରୁଷ କି ମହିଳାର ଜଣାପଡି ନାହିଁ। ନରକଙ୍କାଳଟିକୁ କୋରାପୁଟ ନିଆ ଯାଇ ଅଧିକ ତଦନ୍ତ କରାଯିବ। ମହିଳା କି ପୁରୁଷର ଜଣା ପଡ଼ିବ ବୋଲି ପାଡୁଆ ଥାନାଧିକାରୀ ସବ୍ଯସାଚୀ ଶତପଥି ସୂଚନା ଦେଇଛନ୍ତି। ଏଭଳି ଘଟଣା ସୀମାନ୍ତ ଅଞ୍ଚଳ ତଥା ମୁକ୍ତିଆମ୍ଭ ଅଞ୍ଚଳରେ ନୂଆ ହୋଇଥିବାରୁ ଚାଞ୍ଚଲ୍ଯ ଖେଳିଯାଇଛି।

Leave A Reply

Your email address will not be published.