ଜାଣନ୍ତୁ କଟକର କୁନି ଏରପ୍ଲେନ ବୟଙ୍କ ବିଷୟରେ, ଯିଏ ୧୪ ବର୍ଷ ବୟସରେ ନିର୍ମାଣ କରିଛନ୍ତି ଉଡ଼ାଯାହାଜ

କଟକ(କେନ୍ୟୁଜ୍):  ଆଖିରେ ଆଖିଏ ସ୍ୱପ୍ନ। ସବୁବେଳେ କିଛି ନୂଆ କରିବାର ଉତ୍ସାହ। ଚମତ୍କାର ଏକାଗ୍ରତା ଓ ନିଷ୍ଠା। କଟକ ସହରବାସୀ ଏବେ ତାଙ୍କୁ ଡାକିବା ଆରମ୍ଭ କଲେଣି ଏରୋପ୍ଲେନ ବଏ। କାରଣ  କୁନି ବୟସରେ ସେ ଏରୋନଟିକାଲ ଇଞ୍ଜିନିୟର ଭଳି ତିଆରି କରିଛନ୍ତି  ଉଡାଯାହାଜ। ମହାନଦୀ ପଠା ବିସ୍ତିର୍ଣ୍ଣ ପଡ଼ିଆ ତାଙ୍କ ପାଇଁ ପାଲଟି ଯଇଛି ଏରୋପ୍ଲେନ ଉଡାଇବା ସ୍ଥାନ। ନଦୀ ପଠାର  ଆକାଶରେ ଚକ୍କର କାଟି ଉଡି ବୁଲୁଛି ତାଙ୍କର ଏହି ସୁନ୍ଦର ଉଦ୍ଭାବନ। ଲକଡାଉନରେ ଗୃହବନ୍ଦୀ ପରିସ୍ଥିତି, ୟୁ ଟିଉବ ଓ ଜାଣିବାର କୌତୁହଳ ଏହି ସୋଲ ପ୍ଲେନ ପଛର ମୁଖ୍ୟ କାରଣ ଭାବରେ ଆସିଛି ସାମ୍ନାକୁ।

ନା ତାଙ୍କର ଆଦିତ୍ୟ ମହାରଣା। ବୟସ ମାତ୍ର ୧୪ ବର୍ଷ। ଘର କଟକର ତୁଳସୀପୁର ମଠ ସାହି ଅଞ୍ଚଳରେ। ନବମ ଶ୍ରେଣୀର ଛାତ୍ର ଆଦିତ୍ୟଙ୍କ ଭିତରେ ପିଲାଟି ବେଳୁ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ ପ୍ରତି ଅହେତୁକ ଆକର୍ଷଣ ରହିଆସିଛି। ଆଦିତ୍ୟଙ୍କ ଘର ଏବେ ପାଲଟି ଯାଇଛି ଏକ ପ୍ରୟୋଗଶାଳା। ପାଣିଜାହଜ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍ ଓ ସାଇକେଲ ତିଆରି କରି ତାକୁ ଇଂଜିନ ଦ୍ବାରା ଚଳାଉଛନ୍ତି ଆଦିତ୍ୟ। ଏବେ ନଜର ରହିଛି ଏରୋପ୍ଲେନ ଉପରେ। ଚାଲିଛି ବିଭିନ୍ନ ପ୍ରକାର ଏକ୍ସପେରିମେଣ୍ଟ ଉଡାଯାହାଜକୁ ନେଇ। ବ୍ୟାଟେରୀ, ମଟର , ରିମୋର୍ଟ, ଇଏସ କଣ୍ଟ୍ରୋଲର ଓ ରିସିଭର ଏସି ଆଦି ଯନ୍ତ୍ରାଂଶ ଲଗାଇ ତିଆରି କରିଛନ୍ତି କୁନି ଏରୋପ୍ଲେନ। ଆଠ ବର୍ଷ  ବୟସରୁ ଆଦିତ୍ଯ ଘରେ ଏଭଳି ଜିନିଷ ତିଆରି ଆରମ୍ଭ କରିଥିଲେ। ପରେ ତାଙ୍କ ବାପା ମାଆ ପୁଅର ଆଗ୍ରହକୁ ଦେଖି ତାକୁ ପ୍ରୋତ୍ସାହିତ କରିଥିଲେ। ଜେଜେ ମା ପାନ ଡାଲାରୁ ଖଇର ଡବା ଖୋଳକୁ ମଧ୍ୟ ନିଜ କୁନି କୁନି ପ୍ରକଳ୍ପରେ ସାମିଲ କରିଛନ୍ତି ଆଦିତ୍ୟ।

little engineer

 ଆଦିତ୍ଯ କଟକ ତୁଳସୀପୁର ହାଇସ୍କୁଲରେ ପାଠ ପଢ଼ନ୍ତି। ବାପା ବିପିନ ମହାରଣା ଜଣେ ଅଟୋ ଚାଳକ। ଯିଏ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ଆଦିତ୍ୟଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ। ରିମୋର୍ଟ କଣ୍ଟ୍ରୋଲରକୁ ବାଦ ଦେଇ ଗୋଟିଏ ପ୍ଲେନ ତିଆରିରେ ଖର୍ଚ୍ଚ ହେଉଛି ୪ ହଜାର ଟଙ୍କା। ଏହିପରି ୪ ଟି ପ୍ଳେନ ବର୍ତ୍ତମାନ ସୁଦ୍ଧା ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି ଆଦିତ୍ୟ। ୫୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ୨୦୦ ମିଟର ପରିସୀମା ଭିତରେ ଉଡ଼ି ପାରୁଛି ଏହି ସୋଲ ପ୍ଲେନ। କୋଭିଡ ପାଇଁ ସୃଷ୍ଟି ହୋଇଥିବା ଲକଡାଉନ  ପରିସ୍ଥିତି ବେଶ ମଙ୍ଗଳମୟ ସାବ୍ୟସ୍ତ ହେଲା ଆଦିତ୍ୟଙ୍କ ପାଇଁ।  ୟୁ-ଟ୍ୟୁବ ଠାରୁ ଗୋଟିଏ ପରେ ଗୋଟିଏ ଟେକିନିକାଲ ଆଇଡିଆ  ପାଇଥିଲେ।  । ଅନେକ ଥର ଅସଫଳ ହେବା ପରେ ସଫଳତାର ସ୍ୱାଦ ଚାଖିଲେ ଆଦିତ୍ୟ। ଯେତେବେଳେ ନିଜ ହାତ ତିଆରି ପ୍ଲେନକୁ ନିଜ ମର୍ଜିରେ ଉଡ଼ାଇଲେ ଆକାଶରେ। ଏହି ସୃଜନଶୀଳ  କୁନି ବୈଜ୍ଞାନିକକୁ ଯଦି ସଠିକ ମାର୍ଗଦର୍ଶନ ଓ ସୁବିଧା ସୁଯୋଗ ମିଳେ ତେବେ ଦିନେ ସେ ଦେଶ ପାଇଁ ଗର୍ବ ଆଣିବାରେ ସକ୍ଷମ ହେବ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି ।

Leave A Reply

Your email address will not be published.