ମୂଷା ପାଇଁ ଲାଗିଥିବା ଅଠାରେ ପଡ଼ିଲା ସାପ, ଉଦ୍ଧାର କରାଯାଇ ଜଙ୍ଗଲରେ ଛଡ଼ାଗଲା

ଗଞ୍ଜାମ : ମୂଷା ପାଇଁ ଲଗାଯାଇଥିବା ଅଠାରେ ଫସି ରହିଛି ଏକ ନାଗ ସାପ ।  ହଁ ଆଜ୍ଞା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ସୁବର୍ଣ୍ଣପୁର ଗ୍ରାମରେ ।  ସୂଚନା ଅନୁସାରେ ଆଲୋକ ରଞ୍ଜନ ପାତ୍ରଙ୍କ ଘରେ ମୂଷା ମାନେ ବହୁତ ଉପଦ୍ରବ କରୁଥିଲେ ।  ତେବେ ମୂଷାକୁ ଦମନ କରିବା ପାଇଁ ଆଲୋକ ନିଜ ଘରେ ଅଠା ଯନ୍ତା ବା Glue trap ବସେଇ ଥିଲେ ।  ମୂଷାଙ୍କୁ ଖାଇବା ପାଇଁ ଘରେ ପଶୁଥିବା ଏକ ବଡ ନାଗ ସାପ ଲାଖି ଯାଇଥିଲା ।  ଅଠାରେ ଲାଗିବା ପରେ ସାପଟି ନିସ୍ତେଜ ହୋଇ ପଡିରହିଥିଲା ।

ଏତେ ବଡ଼ ନାଗ ସାପକୁ ଦେଖି ଭୟଭୀତ ହୋଇପଡ଼ି ଥିଲେ ଆଲୋକ ।  ସେ ତୁରନ୍ତ ସ୍ନେକ୍ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସାପକୁ ଅଠା ଯନ୍ତାରୁ ଭିଡ଼ି ବାହାର କରିଥଲେ ।  କିନ୍ତୁ ସାପ ମୁହଁ ଠାରୁ ନେଇ ଦେହ ଯାକ ଯେଉଁ ଅଠା ଲାଗି ଯାଇଥିଲା, ତାକୁ ଛଡ଼େଇବା ଏକୁଟିଆ ସମ୍ଭବ ନଥିଲା ।  ଅଠା ଲାଗିଥିବା ଅବସ୍ଥାରେ ସାପ ଟିକୁ ଏକ କାଗଜ ପେଟି ରେ ଭର୍ତ୍ତି କରି ଘଟଣା ସ୍ଥଳରୁ ନେଇ ଆସିଥିଲେ ।

ରାମଚନ୍ଦ୍ର ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋଟୋ ଏବଂ ଭିଡ଼ିଓ ପଠେଇ ପରାମର୍ଶ ଲୋଡିଥିଲେ । ଶୁଭେନ୍ଦୁଙ୍କ ପରାମର୍ଶ କ୍ରମେ ନଡ଼ିଆ ତେଲ ଲଗାଇ ୪  ଫୁଟ ଲମ୍ବର ବିଷଧର ନାଗ ସାପ ଦେହରେ ଲାଗିଥିବା ଅଠା ଛଡ଼େଇ ଥିଲେ ।  ଏହାପରେ ସାପକୁ ସୁରକ୍ଷିତ ଅବସ୍ଥାରେ ଏକ ଜଙ୍ଗଲରେ ଛଡା ଯାଇଥିଲା ।

Also read: ସାପ ସହିତ ବରଯାତ୍ରୀଙ୍କ ନାଗିନ୍ ଡ୍ୟାନ୍ସ ଭିଡିଓ ଭାଇରାଲ୍, ଜଣେ ଅଟକ