ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ ଅଘଟଣ । ମେଣ୍ଡାମାଳ ଗାଁର ସାପ ଧରାଳୀ ଗୌର ଜଗଦଲା ଚମ୍ପମାଳ ଗାଁରୁ ଜଣକ ଘରେ ସାପଥିବା ଖବର ପାଇ ଚମ୍ପାମାଳ ଗାଁକୁ ଯାଇଥିଲେ । ସେଠାରୁ ସାପଟିକୁ ଧରିଲା ପରେ ଫେରିବା ବାଟରେ ବୀରମାହାରଜପୁର ଥାନାରେ କାମ ଥିବାରୁ ଥାନାକୁ ଯାଇଥିଲେ । ତେବେ ଥାନା କାମ ସରିବା ପରେ ସେ ସେଠାରେ ଉପସ୍ଥିତ କିଛି ପୋଲିସ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସାପ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଣୁ ସାପକୁ ଭର୍ତି କରିଥିବା ଏକ ପ୍ଲାଷ୍ଟିକ ଜାରରୁ ବାହରକୁ ଆଣି କିଛି ସମୟ ଖେଳାଇବା ପରେ ପୁଣି ଜାରରେ ଭର୍ତି କରୁଥିଲେ ।

ତେବେ ସେହି ସମୟରେ ଅସାବଧାନତା ବସତଃ ସାପଟି ଗୌର ଜଗଦଲାଙ୍କ ହାତରେ କାମୁଡି ଦେଇଥିଲା । ଗୁରୁତର ଗୌରଙ୍କୁ ପୋଲିସ ପିସିଆର ଗାଡିରେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଚିକିସାଧିନ ଅବସ୍ଥାରେ ଗୌର ଜଗଦଲାଙ୍କ ସେଠାରେ ମୃତ୍ୟୁ ହୋଇଯାଇଛି । ଗୌର ଆଜିକୁ ୧୫ ବର୍ଷରୁ ଅଧିକ ସମୟ ହେଲା ଲୋକଙ୍କ ପାଖରୁ ଖବର ପାଇ ଯାଉଥିଲେ ଏବଂ ବିଷଧର ସାପକୁ ଉଦ୍ଧାର କରି ଜଙ୍ଗଲର ଛାଡି ଦେଉଥିଲେ । ହେଲେ ଆଜି ଅସାବଧାନତା ବସତଃ ସାପ କାମୁଡାରେ ତାଙ୍କର ପ୍ରାଣହାନୀ ଘଟିଗଲା । ଗୌର ସାପ ଧରିବାକୁ କୌଣସି ତାଲିମ ପାଇନଥିଲେ । ବନ ବିଭାଗର ନିୟମ ମୁତାବକ ପଂଜିକରଣ ପାଇଁ ସେ ଅନେକ ଥର ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ତାଙ୍କର ପଂଜିକରଣ ଏପର୍ଯ୍ୟନ୍ତ ହୋଇନଥିଲା ।