ବିୟର କ୍ୟାନରେ ଫସିଲା ନାଗ, ୨୦ମିନିଟର ଅପରେସନ୍ ପରେ କରାଗଲା ଉଦ୍ଧାର

ପୁରୀ(କେନ୍ଯୁଜ୍): ବିୟର କ୍ୟାନରେ ଫସିଲା ନାଗ । ଖବର ପାଇ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ମିଳିଥିବା ଖବର ମୁତାବକ, ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ମାଧିପୂର ଗ୍ରାମର ଜିତେନ୍ଦ୍ର ମହାପାତ୍ରଙ୍କ ବାଡ଼ି ପଟେ  ଅସ୍ୱାଭାବିକ ଭାବେ ଏକ ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳିଥିଲା । ଏମିତି କି ଶବ୍ଦ ହେଉଛି  ଦେଖିବା ବେଳେକୁ ଅନାବନା ଘାସ ବୁଦା ମଧ୍ୟରେ ଏକ ବିୟର କ୍ୟାନ ଭିତରେ ମୁଣ୍ଡ ଫସେଇ ଛଟପଟ ହେଉଛି ଏକ ନାଗ ସାପ । ବାହାରିବାକୁ ଯେତେ ଚେଷ୍ଟା କଲେ ବି  ବାହାରି ପାରୁନାହିଁ। ଆଗଜୁ କି ପଛକୁ ଯିବାବେଳେ ମାଟିରେ ଘଷି ହୋଇ ଟିଣ କ୍ୟାନଟିରୁ ଖଡ଼ ଖଡ଼ ଶବ୍ଦ ବାହାରୁଛି । ଏନେଇ ସେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କଲେ । ଶୁଭେନ୍ଦୁଙ୍କ ନିର୍ଦ୍ଦେଶ କ୍ରମେ ସ୍ନେକ ହେଲ୍ପ ଲାଇନର ଅନ୍ୟ ଜଣେ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଏକ ୪ଫୁଟ ଲମ୍ବର ନାଗ ସାପ ଏକ ପରିତ୍ୟକ୍ତ ବିୟର କ୍ୟାନ ରେ ମୁଣ୍ଡ ଗଳେଇ ଫସି ଯାଇଥିବା ଦେଖିଲେ ।

କ୍ୟାନ ଟି କୁ ସେଇ ଯାଗାରେ କାଟିକି ବାହାର କରିବା ସୁବିଧା ଜନକ ନଥିଲା। ଏପଟେ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜ ମଧ୍ୟ ବନ୍ଦ ହୋଇ ସାରିଥିଲା । ତେଣୁ  ସୁଶାନ୍ତ ସେଇ କ୍ୟାନରେ ଫସିଥିବା ନାଗ ଟିକୁ ଉଦ୍ଧାର କରି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ସଙ୍ଗେ ସଙ୍ଗେ ନେଇ ଆସିଥିଲେ । ସାପ ଟିକୁ ପ୍ରଥମେ ପରୀକ୍ଷା କରି ଶୁଭେନ୍ଦୁ ମଲ୍ଲିକ ତା ଦେହରେ ସେମିତି କିଛି କ୍ଷତ ସୃଷ୍ଟି ହେଇନଥିବା କହିଥିଲେ ଶୁଭେନ୍ଦୁ ମଲ୍ଲିକ । ଏହାପରେ ବହୁ କଷ୍ଟରେ ବିୟର କ୍ୟାନର ଟିଣ ଡବାଟିକୁ ପ୍ରଥମେ କଟାଯାଇଥିଲା । ସାପକୁ ବିୟର କ୍ୟାନର ମୃତ୍ୟୁ ଯନ୍ତାରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ଲାଗିଥିଲା ପ୍ରାୟ ୨୦ମିନିଟ ସମୟ ।

ଏହାପରେ ସାପ ର ପେଟ ପଟକୁ ପରୀକ୍ଷା କରିବା ପରେ କିଛି ରାଞ୍ଚୁଡା ଦାଗ ଛଡା ଅଧିକ କୌଣସି କ୍ଷତି ହୋଇ ନଥିବା ଦେଖିବାକୁ ପାଇଥିଲେ ଶୁଭେନ୍ଦୁ । ତଥାପି ଯେଉଁ ଯାଗାରେ ସାପଟି ର ଦେହ, କ୍ୟାନ ଭିତରେ ଘଷି ହେଉଥିଲା ସେଇ ଯାଗାରେ ଆଣ୍ଟିବାୟୋଟିକ ଔଷଧ ସ୍ପ୍ରେ କରିବା ପରେ ଏକ ସୁରକ୍ଷିତ ପ୍ରାକୃତିକ ଆବାସ ସ୍ଥଳୀରେ ନାଗଟିକୁ ଛାଡି ଦେଇଥିଲେ ସୁଶାନ୍ତ ।

ଏଇ ଘଟଣାକୁ ନେଇ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଭୁଲ ବର୍ଜ୍ୟ ବସ୍ତୁ ପରିଚାଳନାର ଏହା ହେଉଛି ଭୟଙ୍କର ଫଳାଫଳ । ଯଦି ବିୟର କ୍ୟାନକୁ କ୍ରସ କରି ଚେପା କରି ଦିଆଯାଇଥାନ୍ତା ତେବେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳନ୍ତା ନାହିଁ । ଏହିଭଳି ଘଟଣା ସାରା ପୃଥିବୀରେ ଅନେକ ସ୍ଥାନରେ ଘଟୁଛି । କିଛି ହୃଦୟବାନ ମଣିଷଙ୍କ ନଜରକୁ ଆସି ନପାରି ଅନେକ ସାପ ଭୟଙ୍କର କଷ୍ଟ ପାଇ ମୃତ୍ୟୁ ବରଣ ମଧ୍ୟ ନିଶ୍ଚୟ କରୁଥିବେ” । ଏଣୁ ଲୋକମାନେ ବିୟର, କ୍ଷୀର, କିମ୍ବା କୋଲ୍ଡ଼ ଡ୍ରିଙ୍କସ୍ ପିଇବା ପାଇଁ ଯଦି କ୍ୟାନ କିଣୁଥିଲେ, ତେବେ କିଣି ସାରିବା ପରେ ଭଲ ଭାବରେ କ୍ରସ କରି ନଷ୍ଟ କରିବା ସହ କେବେ ହେଲେ ବି ଜଙ୍ଗଲ ବା ଖୋଲା ପରିବେଶରେ ନ ଫୋପାଡିବାକୁ ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.