ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ସାପ ଆତଙ୍କ । ମେଡିକାଲ ଭିତରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସାପ କାମୁଡିବା ପରେ ସମସ୍ତେ ଭୟଭୀତ। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ହଠାତ୍ ଖେଳି ଯାଇଥିଲା ସାପ ଆତଙ୍କ । ମେଡିକାଲରେ ବେଡ୍ ର ଅଭାବ ଥିବାରୁ ରୋଗୀ ମାନେ ବାରଣ୍ଡାରେ ଶୋଇଥିବାବେଳେ ଅଚାନକ ଅଧା ରାତିରେ ଏକ ସାପ ଆସି ରୋଗୀଙ୍କ ସମ୍ପର୍କୀୟଙ୍କୁ କାମୁଡି ଦେଇଥିଲା ।
ଯାହା ସୂଚନା ମିଳିଛି, ଗୟଳମୁଣ୍ଡା ଅଞ୍ଚଳର ରୋଗୀଙ୍କ ସମ୍ପର୍କୀୟ ଜଣକ ହେଉଛନ୍ତି ବାଜୁ ଚାମ୍ପିୟା । ଶୋଇଥିବା ସମୟରେ ବାଜୁ ଚାମ୍ପିୟା ନାମକ ଯୁବକଙ୍କ ପ୍ୟାଣ୍ଟ ଭିତରେ ପ୍ରଥମେ ପଶିଯିବା ସହିତ ତାଙ୍କୁ କାମୁଡି ଦେଇଥିଲା ସାପଟି । ତାପରେ ପଡିଗଲା ଚହଳ । ଶୋଇଥିବା ଅବସ୍ଥାରେ ସାପଟି କାମୁଡିବା ଦେବା ପରେ ଯୁବକ ଜଣଙ୍କ ପ୍ରବଳ ଚିତ୍କାର କରିଥିଲେ । ଏହା ପରେ ସମସ୍ତଙ୍କ ନିଦ ଭାଙ୍ଗିଯିବା ସହିତ ସବୁ ଭୟଭୀତ ହୋଇଯାଇଥିଲେ ।
ସାପ କାମୁଡିବା ପରେ ତୁରନ୍ତ ବାଜୁଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଏତିକିରେ କଥା ସରିନଥିଲା ଆଜ୍ଞା । ଅଧଘଣ୍ଟା ପରେ ଆଉ ଗୋଟିଏ ସାପ ମହିଳା ୱାର୍ଡର ଅନ୍ୟ ପାର୍ଶ୍ୱରେ ବାହାରିଥିଲା । ଯାହାକୁ ନେଇ ରୋଗୀଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ଭୟର ବାତାବରଣ ଖେଳିଗଲା । ରାତି ସାରା ଅନିଦ୍ରା ହୋଇ ଜଗି ରହିଲେ ସଭିଏଁ । ଏସବୁ ଘଟଣା ପରେ ସୁରକ୍ଷା କର୍ମୀ ଆସି ସାପ କୁ ଧରିଥିଲେ । ଅନ୍ୟପଟେ ମେଡିକାଲର ଚତୁଃପାର୍ଶ୍ୱ ସହିତ ମେଡିକାଲ ଭିତର ଠିକ ଭାବେ ସଫା ହେଉନଥିବା ଅଭିଯୋଗ ହୋଇଛି ।