ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ଘଟଣା: ଜଣେ ମୃତ, ୩୫ରୁ ଅଧିକ ଆହତ

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟ ବାଣ ବିସ୍ପୋରଣ ଘଟଣାରେ ଜଣେ ମୃତ। ୩୫ରୁ ଅଧିକ ଆହତ । ଚନ୍ଦନ ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ଅବସରରେ ଘଟିଥିବା ଏହି ଅଘଟଣରେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ୨୮ ଜଣଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ନିକଟରେ ଭଉଁରୀ ଅବସରରେ ପାରମ୍ପରିକ ଭାବେ ବାଣ ମରାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।  ଗୋଟିଏ ବାଣରେ ନିଆଁ ଲାଗି ସେଠାରେ ଠୁଳ କରାଯାଇଥିବା ବାଣ ବସ୍ତାରେ ପଡ଼ିବାରୁ ଅଚାନକ ବିସ୍ପୋରଣ ହୋଇଥିଲା। ବିସ୍ପୋରଣର ମାତ୍ର ଏଭଳି ଥିଲା ଯେ ପାଖରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଏହା ପଡ଼ି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା l ଆହତମାନେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୁରୀ ଡାକ୍ତରଖାନରେ ପହଞ୍ଚି ଥିଲେ ।

ତେବେ ଅଧିକାଂଶ ଗୁରୁତର ଥିବାରୁ ସେମାନଂକୁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ କଟକଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l SCBରେ ୮ ଜଣ ଚିକିତ୍ସିତ ହେଉଛନ୍ତି। ବିଳମ୍ବିତ ରାତିରେ ମୁଖ୍ୟ ସଚିବ ପ୍ରଦୀପ ଜେନା ଓ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏସସିବି ମେଡିକାଲକୁ ଯାଇ ଆହତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଭୁବନେଶ୍ବରରେ ଘରୋଇ ହସପିଟାଲରେ ବିଳମ୍ବିତ ରାତି ଯାଏ ଉପସ୍ଥିତି ରହି ଆହତଙ୍କ ଚିକିତ୍ସାର ତଦାରଖ କରିଛନ୍ତି । ଏହି ଭୟଙ୍କର ବାଣ ବିସ୍ପୋରଣ ଘଟଣାରେ ପୁରୀ ଏସପିଙ୍କ ନେତୃତ୍ୱ ରେ ପୋଲିସ ତଦନ୍ତ ଆରମ୍ଭ କରିଛି l ଆତସବାଜୀ ପ୍ରଦର୍ଶନ ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ଠାରୁ କୌଣସି ଅନୁମତି ଦିଆଯାଇ ନଥିବା ଜିଲ୍ଲାପାଳ ଓ ଏସପି କହିଛନ୍ତି ।

 

You might also like