ରାତି ଅଧରେ ବାପା ମାଆଙ୍କୁ ରାସ୍ତାକୁ କାଢ଼ି ଦେଇ ଘର ତାଲା ପକାଇଦେଲେ ପୁଅ ବୋହୁ

ଭଦ୍ରକ : ଏ ମାଆ କାନ୍ଦି କାନ୍ଦି ତାର ଆଖିରେ ଲୁହ ଶୁଖୁନି । କାନ୍ଦ କାନ୍ଦ ସ୍ୱରରେ ଗୋଟିଏ କଥା ଆମେ ଯିବୁ କୁଆଡେ, ଏଇ ବୟସରେ ଆମର କଣ ଆଉ ବଳ ବୟସ ଅଛି ତୁ ଆମକୁ ଘରୁ ବାହାର କରିଦେଉଛୁ । ଆଜ୍ଞା ଏ କଳିଯୁଗ, ଏ କଳିଯୁଗରେ ପୁଅ ବୋହୂ ଭୁଲିଯାଉଛନ୍ତି ବାପା ମାଆଙ୍କ ମହତ୍ତ୍ୱ । ଥରେ ବି ଭାବୁନାହାଁନ୍ତି ଏ ବୁଢ଼ା ବୟସରେ ଏମାନେ କୁଆଡେ ଯିବେ କଣ କରିବେ । ପୁଅ ବାହାର କରିଦେଇଛି ଘରୁ । ଘର ତାଲା ପଡିଛି । ଘରେ ନାହାଁନ୍ତି ପୁଅ ବୋହୁ । କହୁଛନ୍ତି ଯୁଆଡେ ଯାଉଛ ଯାଅ, ସେ ତାଲା ଯଦି ଭାଙ୍ଗିବ ଅବସ୍ଥା ବହୁତ ଖରାପ ହେବ । ଧନ୍ୟରେ ତୁ ପୁୁଅ, ଆଉ ଧନ୍ୟ ସେ ବୋହୁ । ଯିଏ ବାରମ୍ବାର ଏ ବୁଢ଼ା ବାପାଙ୍କୁ ଘରୁ ବାହାର କରିଦେଇଛି । ଆଉ ଆଜି ଘର ତାଲା ପକାଇ କେଉଁ ଆଡେ ପଳାଇ ଯାଇଛନ୍ତି, ପୁଣି କହୁଛନ୍ତି ତାଲା ଭାଙ୍ଗିବ ଯଦି ବେଳା ଖରାପ ହେବ ।
ମାଆଟି କାନ୍ଦି କାନ୍ଦି କହୁଛି ମୁଁ ସିନା ଜନ୍ମ ଦେଇନି ହେଲେ ନିଜ ମା ପରି ଭଲପାଇଛି । ନିଜ ପୁଅ ପରି ଦେଖିଛି, ହେଲେ ସେହି ପୁଅ ଆଜି ମାକୁ ଘରୁ ବାହାର କରିଦେଇଛି । ୟେ ବର୍ଷାରେ କୁଆଡେ ଯିବି କହି କହି ରାସ୍ତାରେ କାନ୍ଦୁଛନ୍ତି ବାପା ମା । ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆ ଅଂଚଳରେ । ଦୁଇ ବୟସ୍କ ଦମ୍ପତି ରାସ୍ତାରେ ଛିଡା ହୋଇ କାନ୍ଦୁଥିବାର ଲୋକେ ଦେଖିବାକୁ ପାଇଥିଲେ । କିଏ କାନ୍ଦୁଛି ଦେଖିଲାବେଳକୁ ଜଣାପଡିଲା ସେମାନେ ହେଲେ ଚକରା ପଢ଼ିଆରୀ ଓ ତାଙ୍କ ପତ୍ନୀ । ତାଙ୍କ ପରିବାର କହିଲେ ପ୍ରଥମ ପତ୍ନୀରେ ଦୁଇ ଝିଅ ଗୋଟେ ପୁଅ । ତେବେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଚକରା ପଢ଼ିଆରୀ ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀଙ୍କ ଠାରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। ତେବେ କିନ୍ତୁ ସାବତ ମାକୁ ଭଲ ପାଉନଥିଲେ ପୁଅ ଓ ବୋହୁ । ଏମିତିକି ମା ଓ ବାପାକୁ ଖାଇବାକୁ ବି ଦେଉନଥିଲେ କି ଘରେ ରହିବାକୁ ବି ଦେଉନଥିଲେ ।
ଶ୍ୱଶୁରକୁ ଦେଖି ବୋହୁ କହୁଥିଲା ତମର ଯୋଗ୍ୟତା ନାହିଁ ମୋ ଶ୍ୱଶୁର ହେବାକୁ । ମୁଁ ତୁମର ଚାକର ମୁଲିଆ ନୁହେଁ ଯେ ତୁମ ଦୁଇଟାଙ୍କୁ ରାନ୍ଧିକି ଦେବି । ବୋହୁ ଓ ତାଙ୍କ ପରିବାର ଲୋକ ମଧ୍ୟ ମାଆକୁ ଗାଳି କରନ୍ତି ବୋଲି କୁହନ୍ତି ଚକରା ପଡ଼ିଆରିଙ୍କ ପତ୍ନୀ । ପୂର୍ବରୁ ୭ ମାସ ଏକ ଗୋରୁ ଗୁହାଳରେ ରହିଥିବା କହିଥିଲେ ଚକରା ପଡ଼ିଆରୀ ଙ୍କ ପତ୍ନୀ। ଗତକାଲି ଚକରା ପଡିଆରିଙ୍କର ପୁଅ ବହୁ ଓ ଝିଅ ମିଶି ବାପା ମା ଙ୍କୁ ଘରୁ ବାହାର କରିଦେଇ ଚାବି ପକେଇ ନିଜ ଶଶୁର ଘରକୁ ପଳାଇଥିବା ବେଳେ ବାପା ମା ଘର ଆଗରେ ରାସ୍ତାର ବସି କାନ୍ଦୁଛନ୍ତି ।
ବାରମ୍ବାର ଏପରି କରୁଥିବାରୁ ପୁଅ ନାମରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ବାପା । ଆଉ ଥାନାରେ ସମାଧାନ ମଧ୍ୟ ହୋଇଥିଲା ମାତ୍ର କିଛିଦିନ ପରେ ଯେମିତି ସେମିତି ଅତ୍ୟାଚାର ଆରମ୍ଭ ହୋଇଗଲା । ଆଉ ଆଜି ଘରୁ ବାହାର କରି ଦେଇ ଚାବି ପକାଇ ପଳାଇଲା ଆଉ ଧମକ ମଧ୍ୟ ଦେଲା ଯଦି ଚାବି ଭାଙ୍ଗି ଘରକୁ ଯିବ ଜୀବନରୁ ମାରିଦେବି । ଏ ସମ୍ପର୍କରେ ପୁଣି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ପୋଲିସ ବାପ ଓ ପୁଅଙ୍କୁ ଡାକି ଆଲୋଚନା କରିଥିବା ଜଣାଯାଇଛି ।