କରୋନାର କରୁଣ ଚିତ୍ର: ପାଖ ମାଡ଼ିଲେନି ଆତ୍ମୀୟ ସ୍ୱଜନ, ଶେଷରେ ସ୍କୁଟିରେ ବୋହି ନେଲେ ବାପାଙ୍କ ଶବ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ଛେମୁଣ୍ଡା ( ଦରୋବାହାଲ ) ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନାରେ ସଂକ୍ରମିତ ଜଣେ ବୃଦ୍ଧଙ୍କ ମୃତ୍ୟୁରେ ଆତ୍ମୀୟ ସ୍ଵଜନ କାନ୍ଧ ଦେବାକୁ ପାଖ ମାଡ଼ି ନ ଥିବା ବେଳେ ପିତାଙ୍କ ଶବକୁ ୩ ପୁଅ ସ୍କୁଟି ଯୋଗେ ଗାଁ ମଶାଣିକୁ ନେଇ ଶେଷ କୃତ୍ୟ କରିଥିଲେ। ଜମନକିରା ଯୁବ ସଚେତନ ନାଗରିକ ସଂଘର କର୍ମକର୍ତ୍ତା ଏଥିରେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ।

ଜମନକିରା ପଂଚାୟତ ଅନ୍ତର୍ଗତ ଛେମୁଣ୍ଡା  ଗ୍ରାମରେ ରହୁଥିବା ଗୁଡ଼ିଆ ଦୁର୍ଗା ପ୍ରସାଦ ସାହୁ (୬୫)ଙ୍କ କରୋନା ଜନିତ ହୋମ୍ ଆଇସୋଲେସନରେ ଥିବା ବେଳେ ଗତକାଲି ମଧ୍ୟରାତ୍ରିରେ ମୃତ୍ୟୁ ଘଟିଥିଲା। ଏନ୍ଏଚ୍ ୫୩ ପାର୍ଶ୍ଵରେ ଷଣ୍ଢପଥର ଠାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏକ ଜଳଖିଆ ହୋଟେଲ ଖୋଲି ସେ ଚଳୁଥିଲେ। ତାଙ୍କ ମୃତ୍ୟୁ ଭୟରେ ପଡ଼ାବାସୀ କେହି ପାଖ ମାଡ଼ିଲେନି। ଜମନକିରାରେ ରହୁଥିବା ଆତ୍ମୀୟ ସ୍ୱଜନ, ଜାତି ଭାଇ ଶବ ଉଠାଇ କାନ୍ଧ ଦେବା ଦୁରର କଥା ପାଖ ସୁଦ୍ଧା ମାଡ଼ିଲେ ନାହିଁ।

ମଙ୍ଗଳବାର ରାତିରୁ ବୟୋବୃଦ୍ଧଙ୍କ ମୃତ୍ୟୁ ହୋଇଥିଲେ ମଧ୍ଯ ଆଜି ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ଶବ ଘରେ ପଡି ରହିଥିଲା। ଶେଷରେ ପଂଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ପରିବାର ଲୋକେ। ଏସମ୍ପର୍କରେ ଜିଲ୍ଲାପାଳ, କ୍ଷମତାପ୍ରାପ୍ତ ସରପଂଚ ଭାସ୍କର ଭୋଇ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ଖଡ଼ିଆ ପ୍ରମୁଖ ସ୍ଥାନୀୟ ଯୁବ ସଚେତନ ନାଗରିକ ସଂଘ ସଭାପତି ଅବଦୁଲ ଗୁଲାମ କାଦିରଙ୍କୁ ଫୋନ୍ ଯୋଗେ ଜଣାଇ ଥିଲେ। ସଭିଏଁ ଦରୋବାହାଲ ପଡ଼ାକୁ ଯାଇ ଶବ ଉଠା କାମ ଠାରୁ ଦାହ କର୍ମ ପର୍ଯ୍ଯନ୍ତ ଉପସ୍ଥିତ ରହି ବୁଝାସୁଝା କରିଥିଲେ।

ସ୍ଥାନୀୟ ଯୁବ ସଚେତନ ନାଗରିକ ସଂଘର ସଭାପତି ଅବଦୁଲ ଗୁଲାମ କାଦିର, ସମ୍ପାଦକ ଗୋପାଳ ଦେବନାଥ, ରଞ୍ଜନ ସାହୁ, ରିଗନ ଜୟପୁରିଆ, ମନୋଜ ଜୟପୁରିଆ ପ୍ରମୁଖ କାଠ ଯୋଗାଡ କରି ଶବ ଦାହରେ ସହଯୋଗ କରିଥିଲେ। ପିପିଇ କିଟ ପିନ୍ଧି ବଡ଼ ପୁଅ ବିଘ୍ନରାଜ ସାହୁ ମୁଖାଗ୍ନୀ ଦେଇଥିଲେ। ଅନ୍ୟ ଦୁଇ ପୁଅ ଅମିତ୍ ସାହୁ ଓ ସୁମିତ ସାହୁ ତାଙ୍କୁ ସହଯୋଗ କରିଥିଲେ।

Leave A Reply

Your email address will not be published.