ସୁନ୍ଦରଗଡ଼: ବାପାକୁ ହତ୍ୟା କରିଥିଲା ପୁଅ, ମା’ର ସାକ୍ଷୀରେ ପୁଅକୁ ହେଲା ଆଜୀବନ ଜେଲ୍‌

କେନ୍ୟୁଜ୍(ବ୍ୟୁରୋ): ସୁନ୍ଦରଗଡ଼ କୋର୍ଟରେ ବାପା,ମା ଓ ପୁଅଙ୍କ ସମ୍ପର୍କିତ ଏକ ମାମଲା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଏକ ସାମାନ୍ୟ ଘଟଣାରେ ବାପାଙ୍କୁ ହତ୍ୟା କରିଥିଲା ପୁଅ ଓ କୋର୍ଟକୁ ଆସି ନିଜ ଜନ୍ମ କଲା ପୁଅ ବିରୋଧରେ ସାକ୍ଷ୍ୟ ଦେଲେ ମା’ । ଏହି ସାକ୍ଷ୍ୟକୁ ଭିତ୍ତି କରି ପୁଅକୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ।

ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଲେଫ୍ରିପଡ଼ା ଥାନା ବିଜାଡିହିରେ ୨୦୧୮ ସେପ୍ଟେମ୍ବର ୧୬ ତାରିଖରେ ଘଟିଥିଲା ଏ ନୃଶଂସ ହତ୍ୟାକାଣ୍ଡ। ଉମାକାନ୍ତ ଗନ୍ଧା (୪୦) ନାମକ ବ୍ୟକ୍ତି ବାପା ମନଭୁଲା ଗନ୍ଧା (୭୦)ଙ୍କୁ ହତ୍ୟା କରିଥିଲା। ଘଟଣାଦିନ ଉମାକାନ୍ତଙ୍କ ସାନ ଭାଇ ନବକାନ୍ତ ଗନ୍ଧା ଗାଁରେ କରିଥିବା ଫେବ୍ରିକେସନ ଦୋକାନରେ ବିଶ୍ବକର୍ମା ପୂଜା ପାଇଁ ସାଙ୍ଗସାଥୀଙ୍କ ସହ ପ୍ରସ୍ତୁତି ଚଲାଇଥିଲେ। ଅପରାହ୍ନ ସାଢ଼େ ୫ଟାରେ ଉମାକାନ୍ତ ଲୁହା ରଡ୍ ଧରି ପୂଜାସ୍ଥାନକୁ ଆସି ଅକାରଣରେ ଝଗଡ଼ା କରିବା ସହ ପୂଜା ବନ୍ଦ କରିବାକୁ କହିଥିଲା। ପୂଜା ବନ୍ଦ ନକଲେ ହତ୍ୟା କରିବ ବୋଲି ଧମକ ଦେଇ ଲୁହାରଡ୍‌କୁ ବୁଲାଇଥିଲା। ସମସ୍ତେ ଯିଏ ଯୁଆଡ଼େ ଦୌଡ଼ି ପଳାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ବାପା ମନଭୁଲା ନବକାନ୍ତ ଘରକୁ ପଶିଯିବାକୁ ଉଦ୍ୟମ କରୁଥିବା ବେଳେ ଉମାକାନ୍ତ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲା। ରକ୍ତାକ୍ତ ଅବସ୍ଥାରେ ସାନ ପୁଅ ନବକାନ୍ତ ସୁନ୍ଦରଗଡ଼ ଡାକ୍ତରଖାନାକୁ ଆଣୁଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଲେଫ୍ରିପଡ଼ା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଉମାକାନ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।

ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ମାମଲାର ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ଉମାକାନ୍ତଙ୍କ ମା’ ସୌକି ଗନ୍ଧା ଓ ବଡ଼ମା ମିନିପ୍ରିୟା ଗନ୍ଧାଙ୍କ ସମେତ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କୋର୍ଟ। ଗତ ୨୦୨୧ ଡିସେମ୍ବର ୨୪ରେ ମାମଲାର ଜବାବ ସୁଆଲ ପରେ ଜଜ୍ ରାଜେଶ ଦାଶ ଉମାକାନ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦୨୨ ଜାନୁଆରି ୬ ତାରିଖରେ ଆଜୀବନ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଥିଲେ।