ଧନ୍ୟରେ ତୁ ପୁଅ, ଆକଟ କରିବାରୁ ବାପାକୁ ମାରିଦେଲା ପୁଅ

ବାସୁଦେବପୁର : ଧନ୍ୟରେ ତୁ ପୁଅ,କେମିତି ତୋ ହାତ ଗଲା ଏତେ ବଡ ଗୋଟେ ପାପ କାମ କରିବାକୁ । ଭୁଲିଗଲୁ କେତେ କଷ୍ଟରେ ସେ ବାପ ତୋତେ ବଡ କରିଥିଲା । କେବଳ ବାପା ମାଆ ହିଁ ଜାଣନ୍ତି ସେମାନେ କେତେ କଷ୍ଟରେ ଗୋଟେ ପିଲାକୁ ଛୋଟରୁ ବଡ କରିଥାନ୍ତି । କିନ୍ତୁ ସେଇ ପୁଅ ବଡ ହେଇ ଭୁଲିଯାଉଛି ବାପା ମାଆଙ୍କର ସବୁ ତ୍ୟାଗ। ସେଥିପାଇଁ ତ ବାପାକୁ ମାରିବାକୁ ହାତ ଚାଲିଗଲା ପୁଅର ।
ଦେଖନ୍ତୁ କେମିତି କାନ୍ଦ ବୋବାଳିରେ କମ୍ପି ଉଠୁଛି ମେଡିକାଲ ପରିସର । ଛାତି ଫଟାଇ କାନ୍ଦୁଛି ପରିବାର । କଣ ଏସବୁ ହେଇଗଲା । ନିମିଷକେରେ ସବୁକିଛି ହେଇଗଲା ଓଲଟପାଲଟ । କାହାରିକୁ ବିଶ୍ବାସ ହେଉନଥିଲା ଯେ ସତରେ କଣ ପୁଅ ମାରିଦେଲା ବାପାକୁ ? ଏ ଦୃଶ୍ୟ ଦେଖି ଆମକୁ ବି ବିଶ୍ବାସ ହେଉନି । ମରିଶୋଇଛି ବାପ । ପୁଅର ପ୍ରହାରରେ ବାପା ଆଖି ବୁଜି ଦେଇଛି ସବୁଦିନ ପାଇଁ । କେତେ କଷ୍ଟ ହେଇଥିବ ସେ ବାପାକୁ ଯେତେବେଳେ ବାପା ଦେହରୁ ତାର ପ୍ରାଣ ଯାଇଥିବ । ଏୟା ଭାବି ଭାବି କଷ୍ଟ ହେଇଥିବ ଯେ ଯେଉଁ ପୁଅକୁ ପାଳି ପୋଷି ବଡ କରିଥିଲେ ତାରି ହାତରୁ ବାପାର ଜୀବନ ଚାଲିଯାଉଛି ।

ଆଜ୍ଞା ଏମିତି ଏକ ଅତି ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୁର ବ୍ଲକ ବେଳସାଉଁଳିଆ ଗାଁରେ । ଯେଉଁଠି ପୁଅର ଲୁହା ରଡ଼ ମାଡ଼ରେ ବାପାର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ ବାପା ହେଉଛନ୍ତି ବସନ୍ତ ମଳିକ । ପୁଅ ଶିବ ମଳିକ ପୂର୍ବରୁ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଆଜି ଏକ ଲୁହା ରଡ଼ରେ ରାସ୍ତାରେ ଯାଉଥିବା ଗାଈକୁ ମାଡ ମାରୁଥିଲା । ହେଲେ ବାପା ବସନ୍ତ ଗାଈକୁ ମାରିବାକୁ ଶିବକୁ ବାରଣ କରିଥିଲେ । ହେଲେ ପୁଅ ଉତ୍ତେଜିତ ହୋଇ ବାପାର ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା । ଫଳରେ ବସନ୍ତ ଘଟଣା ସ୍ଥଳରେ ସଂଜ୍ଞା ହୀନ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ହେଲେ ଡାକ୍ତରଖାନା ବସନ୍ତକୁ ମୃତ୍ୟୁ ଘୋଷଣା କରିଥିଲେ ।