ଯାଜପୁର: କୁଳାଙ୍ଗାର ପୁଅର କଳୁଷିତ କର୍ମ,ଟଙ୍କା ପାଇଁ ମାଆକୁ ପିଟି ପିଟି କଲା ହତ୍ୟା

ଯାଜୁପର(କେନ୍ୟୁଜ୍): ଟଙ୍କା ପାଇଁ ମାଆକୁ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅଞ୍ଚଳରେ । ବଡଚଣା ଗ୍ରାମର ସ୍ୱର୍ଗତ ଅନନ୍ତ ସାମଲଙ୍କ ବିଧବା ପତ୍ନୀ ସୁଷମା ସାମଲ (୫୨)ତିନି ପୁଅଙ୍କ ସହିତ ଘରେ ରୁହନ୍ତି । ଗତକାଲି ରାତିରେ ତାଙ୍କର ବଡପୁଅ ରଞ୍ଜନ ସାମଲ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ମାଆକୁ ଟଙ୍କା ମାଗିଥିଲା । ପୁର୍ବରୁ ରଞ୍ଜନ ଘରୁ ଟଙ୍କା ନେଇ ସାଙ୍ଗସାଥୀରେ ନିଶା ସେବନ କରି ଟଙ୍କା ଉଡାଇ ଦେଉଥିବାରୁ ଟଙ୍କା ଦେବାକୁ ମାଆ ମନା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜନ ଏକ ଠେଙ୍ଗାରେ ମାଆକୁ ପିଟିବାରୁ ସେ ଗୁରୁତର ହୋଇପଡିଥିଲେ ।

ଅନ୍ୟ ଦୁଇ ପୁଅ ମାଆକୁ ଗୁରୁତର ଅବସ୍ଥାରେ ବଡଚଣା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ବଡଚଣା ପୋଲିସ ସେଠାରେ ପହଁଚି ଅଭିଯୁକ୍ତ ରଞ୍ଜନକୁ କାବୁ କରି ଥାନାକୁ ଆଣିଥିଲା । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.