ଜନ୍ମକଲା ବାପା ମାଆଙ୍କୁ ମାରିଦେଲା ପୁଅ, ବାପାକୁ ଘର ପଛପଟେ ପୋତିଥିବାବେଳେ ମାଆର ମିଳୁନି ପତ୍ତା

ସୋର (କେନ୍ୟୁଜ) : ସମସ୍ତଙ୍କର ଗୋଟିଏ ଯାଗାକୁ ଲକ୍ଷ୍ୟ । ମାଟି ଖୋଳାକୁ, ହଁ ଆଜ୍ଞା ଏଠି ଏମିିତ କିଛି ଘଟିଛି ଯାହାକୁ କାନରେ ଲୋକେ ବିଶ୍ୱାସ କରିପାରୁନାହାଁନ୍ତି । ହୁଏତ ଆଖି ଦେଖା କଥା ବିଶ୍ୱାସ ହୋଇଯିବ । ଏ ଯେଉଁ ମାଟି ଖୋଳା ହେଉଛି ଆପଣ ଦେଖୁଛନ୍ତି ତା ଭିତରେ ପୋତା ଯାଇଛି ଜଣେ ବୃଦ୍ଧା ବାପାଙ୍କୁ । ନିଜ ଜନ୍ମକଲା ପୁଅ ନିଜେ ମାରି ବାପାକୁ ଘର ପଛପଟ ଜମିରେ ପୋତି ଦେଇଛି । ଯାହାପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଯିଏ ଶୁଣିଲା ତାର ଲୋମ ଟାଙ୍କୁରୀ ଉଠିଲା ।
କେମିତି ପୁଅ ପାଲଟିଗଲା ପିଶାଚ। ବୃଦ୍ଧ ବାପାମା’ଙ୍କୁ ମାରି ପୋତି ଦେବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଘର ପଛରେ ଥିବା ଏକ ଚାଷ ଜମି ଖୋଳି ଶବ ପୋତି ଦେଇଥିଲା। ଖବର ପାଇ ପୁଲିସ୍ ଖୋଳାଖୋଳି କରି ବୃଦ୍ଧଙ୍କ ଶବ ଉଦ୍ଧାର କରିଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହର ପତ୍ତା ମିଳିନି। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଘଟିଛି।
ବୃଦ୍ଧ ଦମ୍ପତି ହେଲେ ୯୦ ବର୍ଷୀୟ ପ୍ରଭାକର ବେହେରା ଓ ତାଙ୍କ ପତ୍ନୀ ୭୫ ବର୍ଷୀୟା ଚମ୍ପା ବେହେରା । ଉଭୟଙ୍କୁ ସେମାନଙ୍କ ପୁଅ ରମେଶ ବେହେରା ମାରି ଦେଇଥିବା ଅଭିଯୋଗ ହୋଇଛି। ୬ ଦିନ ହେଲା ବାପାମା’ଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ପ୍ରଭାକର ବେହେରାଙ୍କ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ରମେଶ ବେହେରାଙ୍କର ମଧ୍ୟ ଖୋଜଖବର ମିଳୁ ନ ଥିବାରୁ ଏପରି ନାରକୀୟ କାଣ୍ଡ ଘଟାଇ ସେ ଫେରାର ହୋଇ ଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।
ଗତକାଲି ପୁଲିସ୍ ପ୍ରଭାକର ବେହେରାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସ୍ଥାନରେ ଖୋଳା ଯାଇ ହଳ ବୁଲା ଯାଇଥିବା ଦେଖିବାକୁ ପାଇଥିଲା। ସେଠାରେ ମୃତଦେହ ପୋତା ଯାଇଥିବା ସନ୍ଦେହ ହେବାରୁ ଗତ ରାତିରେ ଉକ୍ତ ଜାଗାକୁ ପୁଲିସ୍ ଜଗି ରହିଥିଲା। ଆଜି ସକାଳେ ମାଜିଷ୍ଟ୍ରେଟ ସନ୍ଦୀପ ଶୁଭଦର୍ଶନ ଭୋଳ, ସିମୁଳିଆ ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ, ସାଇଣ୍ଟିଫିକ୍ ଟିମ୍ଙ୍କ ଉପସ୍ଥିତିରେ ଖୋଳତାଡ଼ ଆରମ୍ଭ ହୋଇଛି। ବହୁ ସମୟ ଖୋଳାଖୋଳି ପରେ ମାଟି ତଳୁ ପ୍ରଭାକରଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏହାପରେ ଚମ୍ପାଙ୍କ ମୃତଦେହ ଉଦ୍ଧାର ପାଇଁ ବି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି।
ପାଖରେ ଏକ ପୋଖରୀ ଥିବାରୁ ସେଠାରେ ବୃଦ୍ଧାଙ୍କ ମୃତଦେହ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇ ସେଠାରେ ଖୋଜାଖୋଜି କରାଯିବ ବୋଲି ପୁଲିସ୍ ଅଧିକରୀ ସୂଚନା ଦେଇଛନ୍ତି। ତେବେ ଏଯାଏ ରମେଶଙ୍କ ପତ୍ତା ମିଳୁ ନ ଥିବାରୁ ବାପାମା’ଙ୍କ ହତ୍ୟା ପରେ ସେ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି। ତାଙ୍କୁ ଖୋଜି ଗିରଫ କରିବାକୁ ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି । ତେବେ କେଉଁ ପରିସ୍ଥିତିରେ ଏମିତି ଏକ ନାରକୀୟ କାଣ୍ଡ ଘଟାଇଲା ତାହା ରମେଶକୁ ଧରିବା ପରେ ଜଣାପଡିବ ।
ସତରେ ସେ ବାପା ମାଆଙ୍କ ଆତ୍ମା କଣ ଶାନ୍ତି ପାଇଥିବ । ମଲାବେଳେ ତାଙ୍କ ଜୀବନ ଯିଏ ନେଉଛି ସେ ତାଙ୍କ ନିଜ ଜନ୍ମକଲା ପୁଅ । ଯାହାକୁ ସେମାନେ ଦିନେ ଜୀବନ ଦେଇଥିଲେ । ଏ ଦୁନିଆରେ ବାପା ମାଆଙ୍କ ଠାରୁ ବଡ ଆଉ କିଛି ନୁହେଁ । କୋଉ ଧନ ସମ୍ପତ୍ତି, କୋଉ ଜମିଜମା କି କୋଉ ରାଗ ଅଂହକାର ବି ନୁହେଁ ।
ସୋରରୁ କୈଳାସ ଚନ୍ଦ୍ର ଦାସଙ୍କ ରିପୋର୍ଟ କେନ୍ୟୁଜଓଡିଶା