ରିକ୍ସାବାଲାର ପୁଅ ହେବ ଡାକ୍ତର, ନିଟ ପରୀକ୍ଷାରେ ପାଇଲେ ସଫଳତା

ଭଦ୍ରକ (କେନ୍ୟୁଜ) : ଡାକ୍ତର ହେବ ରିକ୍ସାବାଲାର ପୁଅ। ବାପା ଓ ଭାଇ ରିକ୍ଦା ଚଲାଇ ଆଜି ପୁଅକୁ ଡାକ୍ତର କରିବାରେ ହୋଇପାରିଛନ୍ତି ସମର୍ଥ। ଯଦି ଜଣଙ୍କ ପାଖରେ କିଛି କରିଦେଖାଇବାର ସାହସ ଥାଏ ତାହେଲେ ସେ ନିଶ୍ଚିତ ଭାବେ ସଫଳତା ପାଇଥାଏ। ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବେକ୍ତି ନିଶ୍ଚିତ ସଫଳତା ପାଇ ପାରିବ ତାହା ସୁନିଶ୍ଚିତ। ଏମିତି ହିଁ କିଛି କରିଦେଖାଇଛନ୍ତି ଭଦ୍ରକର ମୂଷିଦ ଖାନ୍‌।

ଭଦ୍ରକ ପୁରୁଣା ବଜାର କାଜି ମହଲାର ମୈରାଜ ଖାନ ନାମକ ଜଣେ ଗରିବ ରିକ୍ସା ଚାଳକଙ୍କ ପୁଅ ମୂଷିଦ୍‌। ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇ ଛନ୍ତି ଓ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ ରଖିଛନ୍ତି ମୂଷିଦ। ତେବେ କାଜି ମହଲାର ଏହି ମୈରାଜ ଖାନ ଜଣେ ରିକ୍ସା ଚାଳକ ଭାବେ ଯାହା ରୋଜଗାର କରନ୍ତି ସେଥିରେ ନିଜର ୪ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ପାଠ ପଢାଇବା ସହିତ ପରିବାର ବହୁ କଷ୍ଟରେ ଚଳାନ୍ତି। କିନ୍ତୁ ଗତ ୨୦୦୭ ମସିହାରେ ଦୁର୍ଘଟଣାର ଶିକାର ହେବା ପରେ ସେ ଆଉ ରିକ୍ସା ଚଳାଇ ପାରିଲେ ନାହିଁ। ପରିବାର କେମିତି ଚଳିବ ଏତେ ଭାଇ ଭଉଣୀ କେମିତି ପାଠ ପଢ଼ି ମଣିଷ ହେବେ ଏହି ଚିନ୍ତା କରି ତାଙ୍କ ବଡ଼ ପୁଅ ରିଆଜ ଉଦିନ ଖାନ ପରିବାର ର ବୋଝ ନିଜେ ସମ୍ଭାଳିବା ସହିତ ଭାଇ ମାନଙ୍କୁ ପାଠ ପଢ଼ାଇଲେ।

ପିଲାଟି ବେଳୁ ମେଧାବୀ ଛାତ୍ର ମୂଷିଦ ଖାନ ଭଲ ନମ୍ବର ରଖି ପାସ୍‌ କରିଆସୁଥିଲେ। ଅର୍ଥ ପ୍ରତିବନ୍ଧକ ଥିବା ସତ୍ତ୍ୱେ ମଧ୍ୟ ମାଟ୍ରିକରେ ଭଲ ନମ୍ବର ରଖି ଭଦ୍ରକ ଜୁନିୟର କଳେଜରେ +୨ ବିଜ୍ଞାନ ପଢ଼ିଲେ। ସେଠାରୁ ପାସ୍‌ କରିବା ପରେ ଡାକ୍ତରୀ ପଢ଼ିବାକୁ ଇଚ୍ଛା ରଖିଥିବା ମୂଷିଦ ବାରମ୍ବାର ମେଡିକାଲ ଏଣ୍ଟ୍ରାନ୍ସ ଦେଲେ। ହେଲେ ବିନା କୋଚିଙ୍ଗ ଯୋଗୁଁ ସେ ବିଫଳ ହୋଇଚାଲିଥିଲେ କିନ୍ତୁ ହାର ମାନିନଥିଲେ।

ସାଙ୍ଗ ମାନଙ୍କ ସହ କେତେକ ପତ୍ର ପତ୍ରିକାରୁ ଜିନଦେଗୀ ଫାଉଣ୍ଡେସନ ବିଷୟରେ ଜାଣି ସେମାନଙ୍କ ଶହ ଯୋଗାଯୋଗ କରିଥିଲେ। ପରେ ସେହି ଫାଉଣ୍ଡେସନ ମୂଷିଦ ଖାନଙ୍କ ଆଗ୍ରହ ଓ ଜ୍ଞାନକୁ ତର୍ଜମା କରି ତାଙ୍କ କୋଚିଂ ସେଣ୍ଟରରେ ରଖି ପାଠପଢାଇ ଥିଲେ। ଶେଷରେ ମୂଷିଦ ନିଟ ପରୀକ୍ଷାରେ ୬୦୯ ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବା ପାଇଁ ମନୋନୀତ ହୋଇ ଛନ୍ତି।

ତେବେ ଜଣେ ଗରିବ ରିକ୍ସା ଚାଳକଙ୍କ ପୁଅ ଏତେ ବଡ ସଫଳତା ପାଇବା ପରେ ପରିବାରରେ ଖୁସି ଖେଳିଯାଇଛି। ଆଖପାଖ ଅଞ୍ଚଳରେ ବି ଏ ଖବର ବେଶ୍‌ ଚର୍ଚ୍ଚା ସାଉଁଟୁଛି। ସତରେ ରିକ୍ସା ଚାଳକଙ୍କ ପୁଅ ଏହା ପ୍ରମାଣିତ କରି ଦେଖେଇଛନ୍ତି ଯେ ଇଚ୍ଛା ଶକ୍ତି ଥିଲେ ଯେ କେହି ବି ସଫଳତା ପାଇପାରିବେ।

Leave A Reply

Your email address will not be published.