ବାଲୁଗାଁ : ପୁରା ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ଖୁସିରେ କାହାରି ପାଦ ତଳେ ଲାଗୁନି । ଗର୍ବରେ ବାପା ମା’ଙ୍କ ଛାତି ଫୁଲି ଉଠୁଛି । ପୁଅ ଆମର ନାଁ ରଖିଛି । ସ୍କୋଏ ମାର୍ଶଲ ଆର୍ଟରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ପରିଷଦ ଅଞ୍ଚଳ ଅନ୍ତର୍ଗତ ରାଜୀବ ନଗର ର ସୌମ୍ୟ ରଞ୍ଜନ ନାୟକ । ସୌମ୍ୟ ରଞ୍ଜନ ହେଉଛନ୍ତି ବାଲୁଗାଁ ରାଜୀବ ନଗର ଗାଁ ର କୃପା ସିନ୍ଧୁ ନାୟକ ଙ୍କ ସାନ ପୁଅ । ଓଡିଶା ପାଇଁ ଗୌରବ ଆଣିଛନ୍ତି ସୌମ୍ୟ । ଏହି ସଫଳତା ପରେ ନିଜ ଗାଁ ଠାରୁ ଆରମ୍ଭ କରି ବାଲୁଗାଁ ଓ ସମଗ୍ର ଚିଲିକା ଅଞ୍ଚଳ ପର୍ଯ୍ୟନ୍ତ ସମସ୍ତେ ଗର୍ବିତ ଅନୁଭବ କରୁଛନ୍ତି । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା ।
ଏହି ସଫଳତା ପାଇଁ ସୌମ୍ୟଙ୍କୁ ଦୀର୍ଘ ୮ବର୍ଷର ଧରି କୋଚ SK ସଲାଉଦ୍ଧିନ ପାଖରେ ପ୍ରଶିକ୍ଷଣ ନେଉଥିଲେ । ସେ ବହୁ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହିଥର ସେ କ୍ରମାଗତ ଭାବେ ରାଜ୍ୟସ୍ତରରେ ଏବଂ ଜାତୀୟସ୍ତରରେ ସଫଳତା ପାଇବା ପରେ ଆନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ ।
ୟୁଜବେକିସ୍ତାନର ତାସକେଣ୍ଟଠାରେ ନଭେମ୍ବର ମାସ ୧ତାରିଖ ଠାରୁ ୮ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ମାର୍ସଲ ଆର୍ଟ ପ୍ରତିଯୋଗିତା । ଯେଉଁଥିରେ ୧୨ଟି ଦେଶର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ, ସେଥିରେ ଭାରତର ୨୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସୌମ୍ୟ ଙ୍କୁ ଚୟନ କରାଯାଇଥିଲା ।
ସେଥିରେ ସେ ନିଜର କୃତିତ୍ୱ ପ୍ରଦର୍ଶନ କରି ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ସହ ଟ୍ରଫି ଆଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପଦକ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ସାଙ୍ଗସାଥି ଓ ଗ୍ରାମର କ୍ଳବ ପିଲାମାନେ ବାଣ ଫୁଟାଇ ସୌମ୍ୟଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ବାଲୁଗାଁ ବଜାର ପରିକ୍ରମା କରାଇଥିଲେ ।
ସେ ତାଙ୍କର ପ୍ରଥମ ପଦକ କୁ ନିଜ ମା’ଙ୍କୁ ଓ ଦ୍ୱିତୀୟ ପଦକକୁ ଗୁରୁଜନ, ବଡଭାଇ,ବନ୍ଧୁ ଓ ଗ୍ରାମବାସୀଙ୍କୁ ଉତ୍ସର୍ଗ କରିଛନ୍ତି ।