ଦିବ୍ୟାଙ୍ଗ ବାପାକୁ ତିନି ଚକିଆ ଟ୍ରାଇ ସାଇକେଲରେ ବସାଇ ଠେଲି ଠେଲି ନେଲା ପୁଅ

ବାପାର ଦୁଃଖରେ ସାଥୀ ହୋଇଛି ପୁଅ । ବାପା ଚାଲିବାକୁ ଅସମର୍ଥ । ତେଣୁ ବାପାକୁ ଟ୍ରାଇ ସାଇକେଲରେ ବସାଇ ପୁଅ ଠେଲି ଠେଲି ନେଲା । ପାଠ ପଢ଼ିବା ବୟସରେ ବାପାର ସାହାରା ବାଡ଼ି ପାଲଟିଛି ଏ ପୁଅ । କଣ ବି କରିବେ ଏମାନେ ଦଇବ ଯେବେ ଦାଉ ସାଧେ ଗରିବଙ୍କର ଏମିତି ପରିସ୍ଥିତି ହୁଏ । ଏମାନଙ୍କ ପାଖରେ ନା ପଇସା ଥାଏ, ନା ଖାଇବା ପାଇଁ ଦି ମୁଠା ଦାନା ଥାଏ । ଭାରି କଷ୍ଟରେ ଭିକ୍ଷା ମାଗି ପରିବାର ଚଳାଉଥିଲେ ଜଣେ ବ୍ୟକ୍ତି । କିନ୍ତୁ ଯେଉଁ ଟ୍ରାଇ ସାଇକେଲ ଧରି ଭିକ୍ଷାବୃତି କରୁଥିଲେ ସେଇଟା ବି ଖରାପ ହୋଇଗଲା । ଆଉ ନିରୁପାୟ ହୋଇ ଏବେ ପୁଅକୁ ସାଙ୍ଗରେ ଧରି ସାଇକେଲ ସଜାଡ଼ିବା ପାଇଁ ବାହାରିଥିଲେ ଉକ୍ତ ବ୍ୟକ୍ତି ।

ଏ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାଁ ହେଉଛି ବିଦ୍ୟାଧର ସୁନା । ତିନି ଚକିଆ ଟ୍ରାଇ ସାଇକେଲ ହିଁ ତାଙ୍କର ସାହା ଭରଷା । ରିକ୍ସା ସାହାଯ୍ୟରେ ଯାଇ ଭିକ୍ଷାବୃତି କରି ପରିବାର ଭରଣ ପୋଷଣ କରନ୍ତି ସେ । ହେଲେ ୧୫ ଦିନ ହେବ ତାଙ୍କ ଟ୍ରାଇ ସାଇକେଲଟି ଭାଙ୍ଗି ଯାଇଛି ଯେ ସଜାଡ଼ିବାକୁ ହାତରେ ପଇସା ନାହିଁ । ଅଚଳ ସାଇକେଲ କେମିତି ସଜାଡ଼ିବେ ବୋଲି ଭାବିଲାବେଳକୁ ପୁଅ ବାପାକୁ ସାହାଯ୍ୟ କରିବ ବୋଲି ଆଗେଇ ଆସିଥିଲା । ଆଉ ବାପାକୁ ଟ୍ରାଇ ସାଇକେଲରେ ବସାଇ ଦୀର୍ଘ ବାଟ ଠେଲି ଠେଲି ନେଇଥିଲା ପୁଅ ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୁଣ୍ଡୋଘାଟ ପଞ୍ଚାୟତ ଲଙ୍କା ବାହାଲ ଗାଁର ବିଦ୍ୟାଧର ସୁନାଙ୍କର । ସେ ଜଣେ ଦିବ୍ୟାଙ୍ଗ । ଚାଲିକରି ଯିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ  । ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଏହି ତିନି ଚକିଆ ରିକ୍ସା ଯୋଗାଇ ଦିଆଯାଇଛି । ସେଥିରେ ସେ ଯିବା ଆସିବା କରି ଭିକ୍ଷାବୃତି କରିଥାନ୍ତି । ସ୍ତ୍ରୀ ଓ ଛୋଟ ଛୋଟ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର । ସେଥିରେ ଯାହା ମିଳେ ଦୁଃଖ କଷ୍ଟେ ପରିବାର ଚଳିଯାଏ । ଏବେ ରିକ୍ସାଟି ଅଚଳ ହୋଇଯିବାରୁ ବାପାକୁ ପୁଅ ଠେଲି ଠେଲି ନେଉଥିବା ବେଳେ ନିଜର କୋହକୁ ପ୍ରକାଶ କରିଛନ୍ତି ବିଦ୍ୟାଧର ସୁନା । ଏବେ ସରକାରୀ ସହାୟତା ମିଳିଲେ ଭଲ ଭାବରେ ପରିବାର ଚଳି ପାରିବେ ବୋଲି ପ୍ରକାଶ କରିଛନ୍ତି ।

ସମାଜରେ ଏମିତି ଅନେକ ଗରିବ ଅସହାୟ ଲୋକ ରହିଛନ୍ତି, ଯେଉଁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ଖାଇବା ପାଇଁ କି ରହିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଏମାନଙ୍କୁ କେହି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ତରଫରୁ ସାହଯ୍ୟ ମିଳନ୍ତା ତେବେ ଏମାନଙ୍କ ଦୁଃଖ ଦୂର ହୋଇପାରନ୍ତା ।

 

 

You might also like